ଯେତେ ଯେତେ ମାନବ ସଭ୍ୟତା ବିକାଶ ପଥରେ ଅଗ୍ରସର ହେଲା ସେତେ ସେତେ ନୂତନ ଆବିଷ୍କାରମାନ ସାମ୍ନାକୁ ଆସିଲା । ମୋବାଇଲ୍ ଫୋନ୍ ମଧ୍ୟ ସେହିପରି ଏକ ଆବିଷ୍କାର ଯାହା ଜୀବନ ଜୀଇଁବାର ତରିକା ହିଁ ବଦଳାଇ ଦେଇଛି । ସ୍ମାର୍ଟଫୋନ୍ ଆସିବା ପରେ ଦୁନିଆରେ ବିକାଶର ନୂଆ ଯୁଗ ଆରମ୍ଭ ହୋଇଛି । ସୋସିଆଲ୍ ମିଡିଆରେ ଏବେ ୩୫୦ ବର୍ଷ ତଳର ଏକ ପେଣ୍ଟିଂ ଭାଇରାଲ୍ ହେଉଛି ଯେଉଁଥିରେ ଆଜିର ସମୟର ଏକ ସ୍ମାର୍ଟଫୋନ୍ ଦେଖିବାକୁ ମିଳୁଛି ।
ମିଳିଥିବା ରିପୋର୍ଟ ଅନୁସାରେ ଜଣେ ଡଚ୍ ପେଣ୍ଟର ପିଟର ଡି. ହୁଚ୍ଙ୍କ ୩୫୦ ବର୍ଷ ପୁରୁଣା ପେଣ୍ଟିଂରେ ଏକ ସାଧାରଣ ଘରର ଦୃଶ୍ୟ ନଜର ଆସୁଛି । କିନ୍ତୁ ଏହି ପେଣ୍ଟିଂରେ ଏକ ସ୍ୱତନ୍ତ୍ର ଜିନିଷ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ପେଣ୍ଟିଂରେ ଦେଖିବାକୁ ମିଳୁଛି ଛିଡା ହୋଇ ରହିଥିବା ଜଣେ ବ୍ୟକ୍ତିଙ୍କ ହାତରେ ରହିଛି ଏକ ଆଇଫୋନ୍ ।
ତେବେ ଏହାକୁ ନେଇ ସେତେବେଳେ ତର୍କ ହୋଇଥିଲା ଯେତେବେଳେ ଆପଲ ସିଇଓ ଟିମ୍ କୁକ୍ ଏକ ପ୍ରେସ୍ କନଫରେନ୍ସ ଜରିଆରେ କହିଥିଲେ କି ୨୦୧୬ରେ ସେ ଆମଷ୍ଟରଡାମ୍ର ଏକ ମ୍ୟୁଜିୟମକୁ ଯାଇଥିଲେ । ସେଠାରେ ସେ ଏକ ପୁରୁଣା ପେଣ୍ଟିଂ ଦେଖିଥିଲେ ଯେଉଁଥିରେ ତାଙ୍କ ନଜରରେ ପଡିଥିଲା ଏକ ଆଇଫୋନ୍ । ରିପୋର୍ଟ ଅନୁସାରେ ଏହି ପେଣ୍ଟିଂ ୧୬୭୦ ମସିହାର ।
ଏଥିରେ ଚେୟାରରେ ବସିଥିବା ଜଣେ ମହିଳାଙ୍କ କୋଳରେ ଏକ କୁକୁର ବସିଥିବା ବେଳେ ସାମ୍ନାରେ ଆଉ ଏକ କୁକୁର ଛିଡା ହୋଇଛି । କିଛି ଦୂରରେ ଏକ ଛୋଟ ପିଲା ଛିଡା ହୋଇଛି ଓ ମହିଳାଙ୍କ ପାଶ୍ୱର୍ରେ ଅନ୍ୟ କେହି ଜଣେ ଛିଡା ହୋଇଛି ଯାହାଙ୍କ ହାତରେ ଆଇଫୋନ୍ ପରି କିଛି ଧରିଥିବାର ନଜର ଆସୁଛି । ତେବେ ଇତିହାସକାର କହିଛନ୍ତି ସେ ଜଣେ ସନ୍ଦେଶ ବାହକ ଓ ତାଙ୍କ ହାତରେ ଏକ ଚିଠି ରହିଛି ଯାହା ସେ ମହିଳାଙ୍କୁ ଦେଉଛନ୍ତି । ତେବେ ଏହି ଫଟୋଟି ଭାଇରାଲ୍ ହେବା ପରେ ଆଇଫୋନର ଆବିଷ୍କାର କେବେ ହୋଇଥିଲା ତାହାକୁ ନେଇ ଲୋକମାନେ ଦ୍ୱନ୍ଦରେ ପଡିଛନ୍ତି ।
Comments are closed.