ମହିଳା ଏସିଆ କପ: ଭାରତ-ଶ୍ରୀଲଙ୍କା ଫାଇନାଲ

ଢାକା: ମହିଳା ଏସିଆ କପ ଟି-୨୦ ପ୍ରତିଯୋଗିତାର ଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବେ । ଗୁରୁବାର ଖେଳା ଯାଇଥିବା ପ୍ରଥମ ସେମିଫାଇନାଲରେ ଭାରତୀୟ ମହିଳା ଦଳ ଅପେକ୍ଷାକୃତ ଦୁର୍ବଳ ଥାଇଲାଣ୍ଡକୁ ୭୪ ରନରେ ହରାଇଥିବା ବେଳେ ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କା ମାତ୍ର ୧ ରନ୍‌ରେ ପାକିସ୍ତାନକୁ ପରାଜିତ କରି ଫାଇନାଲରେ ପ୍ରବେଶ କରିଛି । ଆଗାମୀ ୧୫ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମହାମୁକାବିଲା ହେବ ।

 ମହିଳା ଏସିଆ କପ: ଭାରତ-ଶ୍ରୀଲଙ୍କା ଫାଇନାଲ

ଭାରତ ପ୍ରଥମ ସେମିଫାଇନାଲରେ ଥାଇଲାଣ୍ଡକୁ ଭେଟିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ମହିଳା ଦଳ ଶାଫାଳୀ ବର୍ମାଙ୍କ ୨୮ ବଲରେ ୪୨ ରନ୍‌ ଓ ଅଧିନାୟିକା ହରମନପ୍ରୀତଙ୍କ ୩୦ ବଲରେ ୩୬ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୪୮ ରନ କରିଥିଲା । ଏହାର ଜବାବରେ ଥାଇଲାଣ୍ଡ ୨୦ ଓଭରରେ ୯ ୱିକେଟ ହରାଇ ୭୪ ରନ କରିବାକୁ ସମର୍ଥ ହୋଇଥିଲା । ଭାରତ ପକ୍ଷରୁ ଶାଫଳୀ ବର୍ମା ୪୨, ସ୍ମୃତି ମନ୍ଧାନା ୧୩, ଜେମିମା ରୋଡ୍ରିଗୁଏଜ୍‌ ୨୭, ହରମନପ୍ରୀତ ୩୬ ଓ ପୂଜା ଭଷ୍ଟ୍ରକର ଅପରାଜିତ ୧୭ ରନ କରିଥିଲେ । ଥାଇଲାଣ୍ଡର ସୋରନାରିନ୍‌ ଟିପୋଚ ସର୍ବାଧିକ ୩ ୱିକେଟ୍‌ ଅକ୍ତିଆର କରିଥିଲେ । ଥାଇଲାଣ୍ଡ ପକ୍ଷରୁ ଅଧିନାୟିକା ନାରୁଇମୋଲ ଚାଇୱାଇ ୨୧ ଓ ନାଟାୟା ବୋଚାଥମ ୨୧ ରନ୍‌ କରିଥିଲେ । ଅନ୍ୟମାନଙ୍କ ପ୍ରଦର୍ଶନ ସନ୍ତୋଷଜନକ ନଥିଲା । ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ରାଜେଶ୍ୱରୀ ଗାଏକ ୍ୱାଡ ୨, ରେଣୁକା ସିଂହ, ସ୍ନେହ ରାଣା ଓ ଶାଫଳୀ ବର୍ମା ଗୋଟିଏ ଲେଖାଏ ସଫଳତା ପାଇଥିଲେ । ବ୍ୟାଟିଂରେ ୪୨ ଓ ବୋଲିଂରେ ଗୋଟିଏ ୱିକେଟ ନେଇଥିବା ଶାଫଳୀଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା ।

ଭାରତ ଏଯାଏଁ ୮ ଥର ଫାଇନାଲକୁ ଯାଇଥିବା ବେଳେ ୭ଥର ଟ୍ରଫି ଜିତିଛି । ଗତଥର ଭାରତ ଫାଇନାଲରେ ବାଂଲାଦେଶ ଠାରୁ ହାରି ଯାଇଥିଲା । ହେଲେ ଏଥର ହରମନପ୍ରୀତ କୌରଙ୍କ ଭାରତୀୟ ଟିମ୍‌ ଭଲ ଲୟରେ ରହିଛି ।

ଏସିଆ କପରେ ଭାରତୀୟ ମହିଳା ଦଳ ଏଯାଏଁ ୭ଟି ମ୍ୟାଚ୍‌ ଖେଳିଥିବା ବେଳେ ୬ଟିରେ ଜିତିଛି । ଏକମାତ୍ର ମ୍ୟାଚ୍‌ ଦଳ ପାକିସ୍ତାନ ଠାରୁ ହାରିଥିଲା । ପାକିସ୍ତାନ ସେମିଫାଇନାଲରେ ପରାଜିତ ହେବାରୁ ଭାରତ ପ୍ରତିଶୋଧ ଆଶାରେ ପୂର୍ଣ୍ଣଚ୍ଛେଦ ପଡିଛି ।

 ମହିଳା ଏସିଆ କପ: ଭାରତ-ଶ୍ରୀଲଙ୍କା ଫାଇନାଲ

ଦ୍ୱିତୀୟ ସେମିରେ ଶ୍ରୀଲଙ୍କା ୧ ରନ୍‌ ବ୍ୟବଧାନରେ ପାକିସ୍ତାନକୁ ଧରାଶାୟୀ କରିଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୨୨ ରନ କରିଥିଲା । ଏହାର ଜବାବରେ ପାକିସ୍ତାନ ଲଢ଼େଇ କରିଥିଲେ ମଧ୍ୟ ୬ ୱିକେଟ ହରାଇ ୧୨୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଶ୍ରୀଲଙ୍କାର ଇନୋକା ରଣବୀରାଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ ବିବେଚିତ କରାଯାଇଥିଲା ।

ପାକିସ୍ତାନକୁ ଜିତିବା ପାଇଁ ଶେଷ ବଲରେ ୩ ରନ ଦରକାର ଥିବା ବେଳେ ପାକିସ୍ତାନ ୧ ରନ କରିବାକୁ ସକ୍ଷମ ହୋଇଥିଲା । ଅଧିନାୟିକା ବିସ୍ମା ମାରୁଫ୍‌ ୪୨, ନିଦା ଦାର ୨୬, ମୁନିବ ଅଲ୍ଲୀ ୧୮ ରନ୍‌ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଅନିଷ୍କା ସଞ୍ଜିବନୀ ୨୬, ହର୍ସିତା ସମରବିକ୍ରମା ୩୫, ନିଲାଖି ଡି ସିଲଭା ୧୪, ହନିସି ପେରୋ ୧୩ ରନ କରିଥିଲେ । ପାକିସ୍ତାନର ନାସ୍ରା ସାନ୍ଧୁ ସର୍ବାଧିକ ୩ ୱିକେଟ୍‌ ନେଇଥିଲେ ।

Comments are closed.