ଅହମ୍ମଦାବାଦ: କେରଳରେ ଧନ ସମ୍ପତ୍ତି ଲୋଭରେ ଦମ୍ପତି ଦୁଇ ଜଣ ମହିଳାଙ୍କୁ ବଳି ଦେଇଥିବା ମାମଲା ଥଣ୍ଡା ନପଡୁଣୁ ଆଉ ଏକ ସମାନ ମାମଲା ଏବେ ସାମ୍ନାକୁ ଆସିଛି । ଅନ୍ଧବିଶ୍ୱାସରେ ଅନ୍ଧ ହୋଇ ଜଣେ ବାପା ନିଜ ଜନ୍ମ କଲା ଝିଅକୁ ତନ୍ତ୍ର ସାଧନା କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଗୁଜରାଟର ଗିର ସୋମନାଥ ଜିଲ୍ଲାର ଧାୱା ଗାଁରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ଏଠାରେ ତାନ୍ତ୍ରିକ ବିଦ୍ୟା ଅଭ୍ୟାସ କରୁଥିବାବେଳେ ଜଣେ ବାପା ନିଜ ୧୪ ବର୍ଷୀୟ ଝିଅକୁ ବଳି ପକାଇଛି । ଝିଅ ଦେହରେ ଭୂତ ରହୁଥିବା ସନ୍ଦେହ କରି ତାକୁ ଘଉଡାଇବା ପାଇଁ ଅକେଫାବର ୧ରୁ ୭ ତାରିଖ ଯାଏଁ ପୂଜା ପାଠ କରିଥିଲା ଅଭିଯୁକ୍ତ ବାପା ଭାବେଶ ।
ତେବେ ଏହି ସାତ ଦିନର ପୂଜା ପାଠ ବେଳେ ନିଜ ଝିଅକୁ ଅକଥନୀୟ ନିର୍ଯାତନା ଦେଇଥିଲା ବାପା । ନାବାଳିକା ଜଣକୁ ଠେଙ୍ଗାରେ ଅତି ନିର୍ମମ ଭାବେ ମାଡ ମରାଯାଉଥିଲା । ତାକୁ ଖାଇବାକୁ ଦିଆଯାଉନଥିଲା । ଶେଷରେ ସପ୍ତମ ଦିନ ଝିଅର ମୃତ୍ୟୁ ହୋଇଥିଲା । ଏହା ପରେ ଝିଅର ମୃତଦେହକୁ କମ୍ବଳ ଏବଂ ପ୍ଲାଷ୍ଟିକରେ ଗୁଡ଼ାଇ ଶ୍ମଶାନକୁ ନେଇ ଶବଦାହ କରାଯାଇଥିଲା । ଫଳରେ ଏହି ଘଟଣା ବିଷୟରେ କେହି ଜାଣି ପାରିନଥିଲେ । ଏସବୁ କାଣ୍ଡ ଘଟାଇବାରେ ଝିଅର ଦାଦା ମଧ୍ୟ ଅଭିଯୁକ୍ତ ବାପାର ସାଥ ଦେଇଥିଲା । ତେବେ ଘଟଣାର କିଛି ଦିନ ପରେ ଭାବେଶ ତା’ ଝିଅକୁ ତନ୍ତ୍ର ସାଧନା କରି ହତ୍ୟା କରିଥିବା ନେଇ କେହି ଜଣେ ପୁଲିସକୁ ଫୋନ୍ କରି ଜଣାଇଥିଲେ । ପୁଲିସର ଏକ ଟିମ୍ ଗାଁରେ ପହଞ୍ଚି ଭାବେଶଙ୍କ ଘରେ ଛାନ ଭିନ୍ କରିଥିଲା । ଏହାପରେ ପୂରା ଘଟଣା ସାମ୍ନାକୁ ଆସିଥିଲା ।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଗୁଣି ଗାରେଡି ତଥା ତନ୍ତ୍ର ସାଧନା କରି ନିଜ ୧୪ ବର୍ଷର ଝିଅ ଧୈଯ୍ୟକୁ ବାପା ଭାବେଶ ହତ୍ୟା କରିଛି । ହତ୍ୟା ପରେ ଝିଅକୁ ପ୍ରଥମେ ମାଟି ତଳେ ପୋତା ଯାଇଥିଲା । ଏହାପରେ ମାଟି ଭିତରୁ ବାହାର କରି ଝିଅର ଶବକୁ ପୋଡି ଦିଆଯାଇଛି । ଏହି ମାମଲରେ ପୁଲିସ ଅଭିଯୁକ୍ତ ବାପା ଭାବେଶ ଓ ତାଙ୍କ ଭାଇ ଦୀଲିପକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।
Comments are closed.