ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ

ନୂଆଦିଲ୍ଲୀ, ୨୪/୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଶକ୍ତ ଝଟ୍‌କା ଲାଗିଛି। ମାନହାନି ମାମଲାରେ ଦୋଷୀସାବ୍ୟସ୍ତ ହେବାର ଦିନକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଭା‌‌ବେ ତାଙ୍କ ଲୋ‌କସଭା ସଦସ୍ୟତା ହରାଇ ଦେଇଛନ୍ତି। ଲୋକସଭା ସଚିବାଳୟ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ କରି ରାହୁଲଙ୍କ ସଦସ୍ୟତା‌ ରଦ୍ଦ ହୋଇଥିବା ଘୋଷଣା କରାଯାଇଛି। ମାର୍ଚ୍ଚ ୨୩ ତାରିଖରେ ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ ରାହୁଲ ଦୋଷୀସାବ୍ୟସ୍ତ ‌ହେବା ଦିନ ହିଁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ‌ହେଉଛି ବୋଲି ଲୋକସଭା ସଚିବାଳୟ ପକ୍ଷରୁ କୁହାଯା‌ଇଛି। ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ସହ ୱାୟନାଡ଼ ନିର୍ବାଚନମଣ୍ଡଳୀ ପ୍ରତିନିଧି ଶୂନ୍ୟ ହୋଇଯାଇଛି। ଉକ୍ତ ଆସନରେ ସ୍ବତନ୍ତ୍ର ନିର୍ବାଚନ ପାଇଁ ନିର୍ବାଚନ କମିସନ୍‌ ଖୁବ୍‌ଶୀଘ୍ର ଘୋଷଣା କରିପାରନ୍ତି।
ଜନ ପ୍ରତିନିଧି ଆ‌ଇନ ୧୯୫୧ର ଧାରା ୮ (୩) ଅଧୀନରେ ଥିବା ବ୍ୟବସ୍ଥା ଅନୁଯାୟୀ ରାହୁଲଙ୍କ ସଦସ୍ୟତା ରଦ୍ଦ କରାଯାଇଛି ବୋଲି ସଚିବା‌ଳୟ ପକ୍ଷରୁ କୁହାଯାଇଛି। ଲୋକସଭା ସଚିବାଳୟର ବିଜ୍ଞପ୍ତି ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ନେତା ମନୀ‌ଷ ତିୱାରୀ କହିଛନ୍ତି, ଏଭଳି ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ। ଲୋକସଭା ସଚିବାଳୟ ଜଣେ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିପାରି‌‌ବେନି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ନେତା ଶଶି ଥରୁର କହିଛନ୍ତି, ଏହା ଗଣତନ୍ତ୍ର ପାଇଁ ଅଶୁଭ ସଙ୍କେତ। କୋର୍ଟ ରା‌ୟର ୨୪ ଘଣ୍ଟା ମଧ୍ୟରେ ଏଭଳି ତ୍ବରିତ ପଦକ୍ଷେପ ଦେଖି ମୁଁ ଆଚମ୍ବିତ ‌ବୋଲି ଥରୁର କହିଛନ୍ତି।
ଅନ୍ୟପ‌କ୍ଷେ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶକୁ ବିରୋଧ କରି ଆଜି ବିଭିନ୍ନ ବିରୋଧୀ ଦଳ ସାଂସଦମାନେ ରାଷ୍ଟ୍ରପତି ଭବନକୁ ପଦଯାତ୍ରା କରିଛନ୍ତି। କଡ଼ା‌ ସୁରକ୍ଷା ମଧ୍ୟରେ ବିଜୟ ଚୌକ ନିକଟରୁ ଏହି ଆନ୍ଦୋଳନ ଯାତ୍ରା ଆରମ୍ଭ ‌ହୋଇଥିଲା। ବିରୋଧୀ ‌ସାଂସଦମାନେ ଉଭୟ ରାହୁଲଙ୍କ ଦଣ୍ଡାଦେଶକୁ ବିରୋଧ କରି ଏବଂ ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗ‌ରେ ଜେପିସି ତଦନ୍ତ ଦାବି କରି ଏହି ପଦଯାତ୍ରା କରିଥିବାବେଳେ ବାଟରେ ଅନେକ ସାଂସଦ ଅଟକ ରହିଛନ୍ତି। ସେମାନେ ‘ଡିମୋକ୍ରାସି ଇନ୍‌ ଡେଞ୍ଜର’ ତଥା ଗଣତନ୍ତ୍ର ବିପଦରେ ଲେଖା ହୋଇଥିବା ଏକ ବିଶାଳ ବ୍ୟାନର ଧରି ଆନ୍ଦୋଳନ ଯାତ୍ରା କରିଛନ୍ତି। ସାଂସଦମାନେ ଉକ୍ତ ପ୍ରସଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଆଲୋଚନା କରିବାକୁ ଚାହିଛନ୍ତି। କଂଗ୍ରେସ ମଧ୍ୟ ଆଜି ସନ୍ଧ୍ୟାରେ ଏହି ପ୍ରସଙ୍ଗରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ରଖିଛି।

.

Comments are closed.