ରାଜ୍ୟ କୃଷି ବିପଣନ ବୋର୍ଡକୁ ସ୍କଚ୍ -୨୦୨୩ ପୁରସ୍କାର

ଭୁବନେଶ୍ୱର : ପୁଣି ଥରେ ଓଡ଼ିଶାର ସଫଳତାକୁ ସ୍ୱୀକୃତି ମିଳିଛି । ଓଡ଼ିଶା ରାଜ୍ୟ କୃଷି ବିପଣନ (ଓଏସ୍‌‌ଏଏମ୍‌‌) ବୋର୍ଡକୁ ସ୍କଚ୍‌‌-୨୦୨୩ ପୁରସ୍କାର ମିଳିଛି। କୃଷିରେ ରୌପ୍ୟ ବର୍ଗରେ ଇ-ନାମ୍‌‌ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟର ସମସ୍ତ ୬୬ଟି ନିୟନ୍ତ୍ରିତ ବଜାର କମିଟି ସଫଳତାର ସହ ଇ-ନାମ ପ୍ଲାଟଫର୍ମରେ ସାମିଲ ହୋଇଛି । ଇ-ନାମ ହେଉଛି ଏକ ପାନ୍ ଇଣ୍ଡିଆ ଅନ୍ଲାଇନ୍ ଫ୍ଲାଟଫର୍ମ । ଯାହାକି କୃଷି ଓ କୃଷକ ମନ୍ତ୍ରଣାଳୟ ଦ୍ୱାରା ବିକଶିତ କରାଯାଇଛି । ଏହି ପ୍ଲାଟଫର୍ମ କୃଷିଜାତ ଦ୍ରବ୍ୟର ସମସ୍ତ କ୍ରେତା ଓ ବିକ୍ରେତାଙ୍କୁ ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ ଯୋଡିବାରେ ସହାୟକ ହୋଇଛି ।

ଏହି ଇ-ନାମ୍‌‌ ବ୍ୟବସ୍ଥା ଜରିଆରେ କୃଷିଜାତ ଦ୍ରବ୍ୟ ପାନ୍‌‌ ଇଣ୍ଡିଆ ସ୍ତରରେ ଅନ୍‌‌ଲାଇନ୍‌‌ ଉପଲବ୍ଧ ହୋଇପାରିଛି। ଏହା କୃଷିଜାତ ଦ୍ରବ୍ୟର ସମସ୍ତ କ୍ରେତା ଏବଂ ବିକ୍ରେତାଙ୍କୁ ଏପିଏମ୍‌‌ସି (କୃଷି ଉତ୍ପାଦନ ବିପଣନ କମିଟି)/ ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌‌ସି) ମାଧ୍ୟମରେ ଯୋଡ଼ିବା ଲକ୍ଷ୍ୟରେ ପ୍ରସ୍ତୁତ ହୋଇଛି।

୨୦୧୭ରେ ଇ-ନାମ ପ୍ଲାଟଫର୍ମରେ କେବଳ ୧୦ଟି RMC ସାମିଲ ଥିବା ବେଳେ ଓଡ଼ିଶା ଦେଶର ଅନେକ କୃଷି ଭିତ୍ତିକ ଉନ୍ନତ ରାଜ୍ୟକୁ ପଛରେ ପକାଇ ଏହି ସଫଳତା ହାସଲ କରିଛି । ସମସ୍ତ ଆର୍ଏମ୍ସି ଅଧୀନରେ ଏହାର କୃଷି ବଜାରରେ ଶତପ୍ରତିଶତ ସଫଳତା ମଧ୍ୟ ହାସଲ କରିଛି । ୪୦୧ ସଂଖ୍ୟକ କୃଷକ ଉତ୍ପାଦକ ସଂଗଠନକୁ କୃଷି ବଜାର ପ୍ଲାଟଫର୍ମରେ ସାମିଲ କରିଛି । ଏହି ସଂସ୍ଥାର ସଦସ୍ୟ ଭାବରେ ପ୍ରାୟ ୪୦୦ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ସେମାନଙ୍କ ଉତ୍ପାଦର ବିକ୍ରିବଟା ଅନ୍ଲାଇନ ପ୍ଲାଟଫର୍ମ ମାଧ୍ୟମରେ କରି ଲାଭ ପାଇପାରିବେ । ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍ ମାଧ୍ୟମରେ ଏହି କାରବାରକୁ ସକ୍ଷମ କରିବା ନିମନ୍ତେ ବହୁ ସୁବିଧା ବିକଶିତ କରାଯାଇଛି । ଆଗକୁ ଏହି ପ୍ଲାଟଫର୍ମକୁ ଅଧିକ ଉନ୍ନତ କରାଯିବାର ଯୋଜନା ମଧ୍ୟ କରାଯାଇଛି ।

ଓଡ଼ିଶା ଦେଶର ଅନେକ କୃଷି ଭିତ୍ତିକ ଉନ୍ନତ ରାଜ୍ୟକୁ ବହୁ ପଛରେ ପକାଇ ସମସ୍ତ RMC ଅଧୀନରେ ଏହାର କୃଷି ବଜାରରେ ୧୦୦ପ୍ରତିଶତ ସଫଳତା ହାସଲ କରିଛି । ସମବାୟ ବିଭାଗ ଏହି ପ୍ଲାଟଫର୍ମକୁ ପରବର୍ତ୍ତି ପର୍ଯ୍ୟାୟରେ ଆହୁରି ଆଗକୁ ନେବା ପାଇଁ ଲକ୍ଷ୍ୟ ରଖିଛି । ଗ୍ରାମପଞ୍ଚାୟତ ସ୍ତରରେ ଥିବା ଗାଁ ଗହଳିର ହାଟ ଗୁଡିକ ଉପରେ ନଜର ରଖାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ୫-ଟି ଶାସନ ପଦ୍ଧତିରେ ଓଡ଼ିଶା ସରକାର ଏକ ନୂତନ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ଦିଗରେ ପ୍ରତିବଦ୍ଧତାର ସହ ବିକାଶର ଶୀର୍ଷକୁ ଯାଉଥିବା ବେଳେ ସମବାୟ କ୍ଷେତ୍ରରେ ମଧ୍ୟ ଓଡ଼ିଶାର ସମବାୟ ସ୍ଥାପତ୍ୟକୁ ଲୋକଙ୍କ ଆବଶ୍ୟକତା ସହିତ ସମତୁଲ କରି ବିକାଶ ଆଣିବା ନିମନ୍ତେ ଉଦ୍ୟମ ଜାରି ରଖିଛି ବୋଲି ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

Comments are closed.