ନୂଆଦିଲ୍ଲୀ: ଦିଲ୍ଲୀରେ ୨ ଦିନିଆ ଜି-୨୦ ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇଯାଇଛି। ପ୍ରଗତି ମଇଦାନର ଆଇଟିପିଓ କନଭେନସନ ସେଣ୍ଟର ‘ଭାରତ ମଣ୍ଡପମ’ରେ ଭାରତ ଅଧ୍ୟକ୍ଷତାରେ ଏହା ୧୮ତମ ବାର୍ଷିକ ଜି-୨୦ ସମ୍ମିଳନୀ । ଭାରତର ଜି-୨୦ ଅଧ୍ୟକ୍ଷତାର ଥିମ୍ ରହିଛି ‘ବସୁଧୈବ କୁଟୁମ୍ବକମ୍’, ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ବ ଗୋଟିଏ ପରିବାର। ଜି-୨୦ ସମ୍ମିଳନୀ ଉପରେ ସାରା ବିଶ୍ବର ନଜର ରହିଛି। ଭାରତ ମଣ୍ଡପମରେ ମୋଦୀ ଆଜି ବ୍ୟକ୍ତିଗତ ଭାବେ ସମସ୍ତ ନେତାଙ୍କୁ ସହ ହାତ ମିଳାଇ ସ୍ବାଗତ କରିଥିଲେ। ଏହାପରେ ଔପଚାରିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକ ପୂର୍ବରୁ ଏକ ଟ୍ବିଟ୍ କରି କହିଛନ୍ତି, ଏକ ଫଳପ୍ରଦ ସମ୍ମିଳନୀ ହେବ ବୋଲି ଆଶା କରାଯାଉଛି। ମାନବ କେନ୍ଦ୍ରିକ ଏବଂ ସମାବେଶୀ ବିକାଶ ଦିଗରେ ଜି-୨୦ ସମ୍ମିଳନୀ ଏକ ନୂଆ ଦିଗ ଦେଖାଇବ ବୋଲି ଆଶା କରାଯାଉଥିବା ସେ କହିଛନ୍ତି। ବିଦେଶ ସଚିବ ବିନୟ କ୍ବାତ୍ରା କହିଛନ୍ତି, ଜି-୨୦ ମିଳିତ ଘୋଷଣାପତ୍ରରେ ସମସ୍ତଙ୍କର ସହମତି ପାଇଁ ପ୍ରୟାସ ଜାରି ରହିଛି। ଭାରତର ଜି-୨୦ ସେର୍ପା ଅମିତାଭ କାନ୍ତ କହିଛନ୍ତି, ଆମେ ପ୍ରତିଟି ରାଷ୍ଟ୍ର ସହ କାମ କରିବାପାଇଁ ଏବଂ ସେମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବାପାଇଁ ସକ୍ଷମ ହୋଇଛୁ। ନୂଆ ଦିଲ୍ଲୀ ଘୋଷଣାନାମା ପ୍ରସ୍ତୁତ ହୋଇସାରିଛି ବୋଲି ସେ କହିଛନ୍ତି।
Comments are closed.