୨ ଦିନିଆ ମାଣ୍ଡିଆ ସମ୍ମିଳନୀର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜିଠାରୁ ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହେଲା୨ଦିନିଆ ମାଣ୍ଡିଆ ସମ୍ମିଳନୀ I ଅନ୍ତର୍ଜାତୀୟ ମାଣ୍ଡିଆ ସମ୍ମିଳନୀକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଆଧୁନିକ ଯୁଗର ଆହ୍ୱାନ ନିମନ୍ତେ ପ୍ରାଚୀନ ଶସ୍ୟ-ମିଲେଟସ୍’। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,ଏଭଳି ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଆୟୋଜନ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ମୋ ସରକାର ମିଲେଟ୍ ଚାଷ ଲଗି କୃଷକମାନଙ୍କ ପାଇଁ ୨୫୦୦ କୋଟି ଟଙ୍କା ବିନିଯୋଗ କରୁଛି I ସେଥିପାଇଁ ମାଣ୍ଡିଆ ବା ମିଲେଟକୁ ବିଶ୍ବସ୍ତରରେ ପହଞ୍ଚାଇବାକୁ ଏହା ହେଉଛି ବଡ଼ ପ୍ରୟାସ । ଜାତିସଂଘ ୨୦୨୩କୁ ଅନ୍ତର୍ଜାତୀୟ ପୃଷ୍ଟିଶସ୍ୟ ବର୍ଷ ଘୋଷଣା କରିଥିବାରୁ ମୁଁ ଜାତିସଂଘକୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି ।

ନଭେମ୍ବର ୧୦ ତାରିଖକୁ ରାଜ୍ୟରେ ମାଣ୍ଡିଆ ଦିବସ ଭାବରେ ପାଳନ କରାଯାଉଛି I ୨୦୧୭ରେ ଓଡ଼ିଶା ମିଲେଟ ମିଶନର ଶୁଭାରମ୍ଭ ହୋଇଥିଲା। ପ୍ରତି ଲୋକର ଖାଇବା ଥାଳିରେ ମିଲେଟ ପହଞ୍ଚାଇବା ହେଉଛି ମିଶନର ଲକ୍ଷ । ମିଲେଟ ଆମକୁ ଅନେକ ବିଶେଷ ସ୍ବାସ୍ଥ୍ୟଗତ ସୁବିଧା ପ୍ରଦାନ କରେ। ମିଲେଟ ଚାଷ ପରିବେଶ ଅନୁକୂଳ ଅଟେ। ଏହାବାଦ ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରିବା ଆମର ଉଦ୍ଦେଶ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମିଲେଟ ଓ ମିଲେଟଭିତ୍ତିକ ଉଦ୍ୟୋଗ ମାଧ୍ୟମରେ ସଶକ୍ତ କରାଯିବ। ମିଲେଟ ସମାଜରେ ତାର ଯୋଗ୍ୟ ସ୍ବୀକୃତି ଫେରିପାଇବା ଆଶା କରାଯାଉଛି।

ଏହି ଅନ୍ତର୍ଜାତୀୟ ସମ୍ମିଳନୀକୁ ୩୦ ଜିଲ୍ଲାରୁ ମାଣ୍ଡିଆ ଚାଷୀଙ୍କ ସହ ଦେଶ ଓ ବିଦେଶରୁ ବିଭିନ୍ନ କ୍ଷେତ୍ରରୁ ପ୍ରାୟ ୩୦୦ ପ୍ରତିନିଧି ଯୋଗଦେଇଛନ୍ତି । ସମିଳନୀରେ ୧୮ଟି ଫୁଡ ଷ୍ଟଲ,୭୨ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଷ୍ଟଲ ଓ ୧୩ଟି ଷ୍ଟଲରେ ଚାଷରେ ବ୍ୟବହାର କରାଯାଉଥିବା ବିଭିନ୍ନ ମେସିନକୁ ପ୍ରଦର୍ଶିତ କରାଯାଇଛି I

Comments are closed.