ମାକ୍ରନ୍ ଗାଜା ଯୁଦ୍ଧବିରତି ପାଇଁ କହିବାପରେ କଡ଼ା ଜବାବ ରଖିଲେ ନେତାନ୍ୟାହୁ

ନୂଆଦିଲ୍ଲୀ : ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଶୁକ୍ରବାର ବିବିସିକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ଇସ୍ରାଏଲ ଗାଜା ଉପରେ ବୋମା ବର୍ଷା ବନ୍ଦ କରିବା ଉଚିତ ଏବଂ ନାଗରିକଙ୍କୁ ହତ୍ୟା ବନ୍ଦ କରିବା ଉଚିତ। ମାକ୍ରନ କହିଛନ୍ତି, ବୋମାବର୍ଷା କରିବା ଯୁକ୍ତିଯୁକ୍ତ ନୁହେଁ ଏବଂ ଏକ୍ଷେତ୍ରରେ ଯୁଦ୍ଧବିରତି ଇସ୍ରାଏଲ ପାଇଁ ଉପକାରୀ ହେବ। ହମାସର ଆତଙ୍କବାଦୀ କାର୍ଯ୍ୟକଳାପକୁ ଫ୍ରାନ୍ସ ସ୍ପଷ୍ଟ ନିନ୍ଦା କରୁଛି । ଇସ୍ରାଏଲର ମଧ୍ୟ ନିଜକୁ ସୁରକ୍ଷା ଦେବାର ଅଧିକାର ଅଛି। କିନ୍ତୁ ଗାଜାରେ ଯୁଦ୍ଧବିରତି ପାଇଁ ଆମେ ଇସ୍ରାଏଲକୁ ଅନୁରୋଧ କରୁଛୁ ବୋଲି ମାକ୍ରନ କହିଛନ୍ତି। ତେବେ ମାକ୍ରନଙ୍କ ଯୁଦ୍ଧବିରତିର ଜବାବ ରଖି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ବିଶ୍ବ ନେତାମାନେ ଇସ୍ରାଏଲ ନୁହେଁ ହମାସକୁ ନିନ୍ଦା କରିବା ଉଚିତ। ଆଜି ଗାଜାରେ ହମାସ ଯେଉଁ ଅପରାଧ କରୁଛି ଆସନ୍ତାକାଲି ପ୍ୟାରିସ, ନ୍ୟୁୟର୍କ ଏବଂ ବିଶ୍ବର ଅନ୍ୟ କୌଣସି ସ୍ଥାନରେ ଏଭଳି ଅପରାଧ ଘଟିପାରେ।

Comments are closed.