ଭୋପାଳ : କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କ ପୁଅ ଦେବେନ୍ଦ୍ର ସିଂ ତୋମର ୫୦୦ କୋଟି ଟଙ୍କାର ‘ଡିଲ୍’ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ ଉକ୍ତ ପ୍ରସଙ୍ଗକୁ ନେଇ ମଧ୍ୟପ୍ରଦେଶରେ ବିଜେପି- କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଚଳିତ ମାସରେ ଏହା ହେଉଛି ଦ୍ୱିତୀୟ ଭିଡିଓ। ଗତ ସପ୍ତାହରେ ଏକ ଭିଡିଓରେ ଦେବେନ୍ଦ୍ର ସିଂ ତୋମାର ୧୮ କୋଟି, ୨୧ କୋଟି ଓ ୧୦୦ କୋଟି ଟଙ୍କାର ତିନୋଟି ପୃଥକ୍ ଚୁକ୍ତି ବିଷୟରେ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ତୋମର ଏହି ଭିଡିଓ ସଂକ୍ରାନ୍ତରେ ଗ୍ୱାଲିୟରରେ ସାମ୍ବାଦିକମାନଙ୍କୁ କହିଛନ୍ତି, ଆମେ ନକଲି ଭିଡିଓ ଉପରେ କଥାବାର୍ତ୍ତା କରି ସମୟ ନଷ୍ଟ କରିବା ଉଚିତ ନୁହେଁ। କଂଗ୍ରେସ ପକ୍ଷରୁ ଏହାକୁ ତୀବ୍ର ସମାଲୋଚନା କରାଯାଇଥିବା ବେଳେ ବିଜେପି ଏହି ଭିଡିଓକୁ ନକଲି କହି ଖଣ୍ଡନ କରିଛି। ବିଜେପିର ରାଜ୍ୟ ମୁଖ୍ୟ ଭିଡି ଶର୍ମା ଏହି ଭିଡିଓକୁ ନକଲି ବୋଲି କହିବା ସହ ବିରୋଧୀ ଦଳ ଚଳିତ ସପ୍ତାହରେ ମତଦାନ ପୂର୍ବରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଏହି କ୍ଲିପ୍ ଜାରି କରିଥିବା ଅଭିଯୋଗ କରିଛନ୍ତି। ଶର୍ମା କହିଛନ୍ତି, ଭିଡିଓର ତଦନ୍ତ କରାଯାଉଛି। ତୋମାରଙ୍କ ପୁଅ ମଧ୍ୟ ଏହି ଭିଡିଓକୁ ନକଲି ବୋଲି କହିବା ସହ ପୁଲିସରେ ମାମଲା ରୁଜୁ କରିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଉକ୍ତ ଭିଡିଓକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ବିଜେପି ଦୁର୍ନୀତିର ସବୁ ରେକର୍ଡ ଭାଙ୍ଗିଦେଇଛି।
Comments are closed.