ମିତଟିଏ ହୁଏ ଲୋଡ଼ା ଡ଼. ଚୌଧୁରୀ ସଂଯୁକ୍ତା ଷଡ଼ଙ୍ଗୀ କବିତାସାହିତ୍ୟ By Samaya Live On May 1, 2020 Share ମିତଟିଏ ହୁଏ ଲୋଡ଼ା ମିତଟିଏ ହୁଏ ଲୋଡ଼ା ଏକାନ୍ତରେ ମନକଥା ବସି କହିବାକୁ, ଅସରା ଦୁଃଖପସରା ଖୋଲିଥୋଇବାକୁ ଦୁଃଖସାଥେ କିଛି ସୁଖ ବାଣ୍ଟିବାକୁ ମିତଟିଏ ହୁଏ ଲୋଡ଼ା। ଏକା ଏକା ଏଠି ସମୟ ସରେନା ପାହାଡ଼ଠୁ ବଳି ବୋଝ ଲାଗେ ସିନା କାନେ୍ଧ ବହି ଯା’କୁ ଚାଲି ବି ହୁଏନା ମନରେ ମନରେ ମନକଥା ମରେ ବଞ୍ଚିବାଟା ଲାଗେ ନିଚ୍ଛକ ବାହାନା ଏଣୁ ମିତଟିଏ ହୁଏ ଲୋଡ଼ା। କଥାରେ କଥାରେ ହୁଁ ମାରୁଥିବ କଥା ଶୁଣି କେବେ ଇଙ୍ଗିତି କରିବ କେବେ ପ୍ରଶଂସାରେ ଫାଟିପଡୁଥିବ ସୁଖଦୁଃଖ ବାଣ୍ଟିବାକୁ ଆଗଭର ଥିବ ଦୁଃଖ ଜାଣି ନିଜ ଛାତିରେ ଚାପିବ ଏଣୁ ମିତଟିଏ ହୁଏ ଲୋଡା। ମନ ଖୋଜୁଥିବା ମିତ ମିଳିଗଲେ ଡ଼େଣା ଲାଗିଯାଏ ମନ ପକ୍ଷୀଟିରେ ବିତିଯାଏ ଦିନ ବର୍ଷ ପରେ ଯୁଗ ମନ ଭୁଲିଯାଏ ଭୋଗିଥିବା ଦୁଃଖ ହଜିଯାଏ ସିନା ସପନ ରାଇଜେ ଆପଣାକୁ ନିତି ମିତ ସଙ୍ଗେ ଖୋଜେ ଏଣୁ ମିତଟିଏ ହୁଏ ଲୋଡ଼ା। ମେଘୁଆ ଆକାଶ ନିର୍ମଳ ଲାଗଇ ଦୁଃଖର ବାଦଲ ଦୂରେ ହଟିଯାଇ ସୁନେଲି ଚାନ୍ଦଟା ରୂପେଲି କିରଣେ ସଜାଏ ଅଗଣା ସତେ କେତେ ରଙ୍ଗେ ଆନନ୍ଦ ଜୁଆର ମନ ବେଳାଭୂମେ ହଜୁଥାଏ ମନ କ୍ଷଣ ପ୍ରତିକ୍ଷଣେ ଏଣୁ ମିତଟିଏ ହୁଏ ଲୋଡ଼ା। ମନ ଖୋଜୁଥିବା ମନଟିଏ ପାଇଁ ସିନା ଏତେ ସପନ,ଏତେ କଳ୍ପନା-ଯୋଜନା ସତରେ କ’ଣ ମନ ନେଇ ମନ ଦେବାକୁ ହସରେ-କାନ୍ଦରେ,ସୁଖସରାଗରେ ସୁଖଦୁଃଖ ବାଣ୍ଟିବାକୁ କେହୁୁ ଆପଣାର ନଥିଲେ ପାଖରେ ମିତଟିଏ ନୁହେଁ ଲୋଡ଼ା। ମିତଟିଏ ହୁଏ ଲୋଡ଼ା ଯୁଗ-ଯୁଗରୁ ଅନନ୍ତ-କାଳରୁ ସମୟର ସାଥେ କେତେ ଯେ କଳ୍ପନା ମନ ଖୋଜେ ଏମିତି ମିତ୍ରତା, କୃଷ୍ଣ- ସଙ୍ଗେ ସଖା ସୁଦାମାର ଅବା ଅର୍ଜ୍ଜୁନର ଅଥବା କୃଷ୍ଣା ସାଥେ ଗୋବିନ୍ଦର ଅବା ମୀରା ସହ ମୋହନର ଗତିମୁକ୍ତିଦାତା,ପ୍ରେମମୟ ଐଶ୍ୱର୍ୟ୍ୟମୟ ହେ ପୁରୁଷ ପ୍ରମେୟ ମନ ଉପବନ ତୋ’ପାଇଁ ସଜାଇ ଗୋପୀଟିଏ ସାଜି ଏକାନ୍ତେ ଝୁରଇ ହେ ମିତ! ହାତ ମୋର ଦେବ ନାହିଁ ଛାଡ଼ି ଯିବା ବେଳେ ଏପାରିରୁ ସେପାରି ହାତକୁ ହାତ ମିଳାଇ ମନ ଦେଇ ନେଇ ଏକାତ୍ମ ରହିବା,ଏଣୁ ଏତେ କଳ୍ପନା -ଯୋଜନା ମିତଟିଏ ଲୋଡ଼ା ହୁଏ ସିନା। Share
Comments are closed.