ସମୟ ଲାଇଭ,୪/୫(ଦେବଜ୍ୟୋତି ମହାନ୍ତି): ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ହୋଇଛି । ତେବେ ଛତିଶଗଡ଼ରୁ ସାଇକେଲରେ ବାହାରି ଜଗତସିଂହପୁରରେ ଜଣେ ପ୍ରବାସୀ ଓଡ଼ିଆ ପହଁଞ୍ଚିଛନ୍ତି । ୫ ଦିନରେ ୪୮୦ କିମି ଅତିକ୍ରମ କରି ଜିଲ୍ଲାର ନାଉଗାଁ ବ୍ଲକରେ ଆସି ପହଁଞ୍ଚିଛନ୍ତି ଏହି ଯୁବକ ।
ଛତିଶଗଡ଼ ରାଜ୍ୟର ରାଇଗଡ଼ ଜିଲ୍ଲାର ଗାୟତ୍ରୀ ରୋଲିଂ ମିଲ୍ ରେ ନାଉଗାଁ ବ୍ଲକ ଓଷକଣା ପଞ୍ଚାୟତର ନୟାସିଙ୍ଗଡା ଗ୍ରାମର ପ୍ରବୀର ମହାରଣା ଦୀର୍ଘ ୯ ବର୍ଷ ହେଲା କାର୍ଯ୍ୟ କରି ଆସୁଥିଲେ। ଲକ ଡାଉନ ପାଇଁ ମିଲ୍ ଟି ବନ୍ଦ ହୋଇଯାଇଥିଲା। ମିଲ୍ ବନ୍ଦ ହେବା ହେତୁ ପାଖରେ ଥିବା ସଞ୍ଚିତ ଅର୍ଥ ଶେଷ ହେବାକୁ ଲାଗିଥିଲା । ଏପରିକି ବାରମ୍ବାର ଲକ ଡାଉନ ଅବଧି ବୃଦ୍ଧି ହେବା କାରଣରୁ ଅର୍ଥ ସରିବା ସହିତ ଖାଦ୍ୟର ଚିନ୍ତା ସହ ପରିବାର ଚିନ୍ତା ବଢ଼ିବାରେ ଲାଗିଥିଲା ।
ଫଳରେ ଉକ୍ତ ମିଲରେ କାମ କରୁଥିବା ଯାଜପୁର, ସୁନ୍ଦରଗଡ଼, ଭଦ୍ରକ ସମେତ ଜଗତସିଂହପୁର ଜିଲ୍ଲାର ୧୬ ଜଣ ସାଥି ନିଜ ରାଜ୍ୟକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ | ଗୁରୁବାର ଦିନ ରାତି ୧୨ ଟାରେ ଏକତ୍ରିତ ହୋଇ ନିଜ ନିଜର ସାଇକେଲ୍ ସାହାଯ୍ୟରେ ନିଜର ଜନ୍ମ ମାଟିକୁ ବାହାରିଥିଲେ । ଏଥିରେ ଜଗତସିଂହପୁର ଜିଲ୍ଲାର ୬ ଜଣ ସାଥି ଥିଲେ ସେଥି ମଧ୍ୟରୁ ନାଉଗାଁ ବ୍ଲକର ପ୍ରବୀର ରହିଥିଲେ ଅନ୍ୟତମ ।
୫ ଦିନରେ ଦୀର୍ଘ ୪୮୦ କିମି ଅତିକ୍ରମ କରି ସୋମବାର ଦିନ ଅପରାହ୍ନରେ ନାଉଗାଁ ବ୍ଲକରେ ପହଞ୍ଚି ଥିଲେ ପ୍ରବୀର । ଅନ୍ୟପଟରେ, ପ୍ରବୀର ନିଜ ଗାଁକୁ ଫେରୁଥିବା ପରିବାର ପକ୍ଷରୁ ନାଉଗାଁ ବ୍ଲକ ପ୍ରଶାସନକୁ ସୂଚନା ଦିଆଯାଇଥିଲା। ବ୍ଲକ ପ୍ରଶାସନ ପକ୍ଷରୁ ପ୍ରବୀରଙ୍କୁ ନିଆଯାଇ ଓଷକଣା ପଞ୍ଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି ।
Comments are closed.