୪ ଜିଲ୍ଲା ଦାୟିତ୍ୱରେ ୪ ଅଧିକାରୀ: ଉପକୂଳରୁ ବିପନ୍ନ ସ୍ଥାନାନ୍ତର
ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ - ୧୧ ଲକ୍ଷ ସ୍ଥାନାନ୍ତର ଲୋକଙ୍କୁ ରଖିବା ସାମର୍ଥ୍ୟ - ବାର ଜିଲ୍ଲାରେ ଓଡ୍ରାଫ,ଏନଡ଼ିଆରଏଫ୍ ମୁତୟନ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ - ୧୧ ଲକ୍ଷ ସ୍ଥାନାନ୍ତର ଲୋକଙ୍କୁ ରଖିବା ସାମର୍ଥ୍ୟ - ବାର ଜିଲ୍ଲାରେ ଓଡ୍ରାଫ,ଏନଡ଼ିଆରଏଫ୍ ମୁତୟନ
Edited by Papu Mohanty
ଭୁବନେଶ୍ୱର,୧୮ା୫(ସବୁ୍ୟ): ଓଡ଼ିଶାରେ ୧୨ଟି ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଥିଲେ ହେଁ ୪ଟି ଜିଲ୍ଲାରେ ମହାବାତ୍ୟାର ସିଧାସଳଖ ପ୍ରଭାବ ରହିବ । ସେହି ଜିଲ୍ଲା ଗୁଡ଼ିକ ହେଉଛି, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ । ଏସବୁ ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଇଲାକାରେ ବିପନ୍ନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସରକାର ପ୍ରଭାବିତ ଚାରି ଜିଲ୍ଲା ପାଇଁ ବରିଷ୍ଠ ଚାରି ଅଧିକାରୀଙ୍କୁ ମହାବାତ୍ୟା ମୁକାବିଲା ପାଇଁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ।
ସୋମବାର ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷାରେ ବସିଥିବା ଉଚ୍ଚସ୍ତରୀୟ ବୈଠକ ପରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ । ଶ୍ରୀ ଜେନା କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିରୋ କାଜୁଆଲଟି ଉପରେ ଗୁରୁତ୍ୱ ଦେଇଛନ୍ତି । ସେ ମଧ୍ୟ ବାତ୍ୟା ମୁକାବିଲା ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି । ସେଥିପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ଜରୁରୀ ବୈଠକ ଡାକି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଖସଡ଼ା ପ୍ରସ୍ତୁତ ହୋଇଛି । ବାତ୍ୟା ପ୍ରଭାବିତ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ସହ ସମୁଦ୍ର ତଟରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିଷ୍ପତି ହୋଇଛି । ବାର ଜିଲ୍ଲାରେ ଓଡ୍ରାଫ ଓ ଏନଡ଼ିଆରଏଫ ମୁତୟନ ହୋଇଛନ୍ତି । ବାତ୍ୟାଞ୍ଚଳରେ ଲୋକେ ଘରର ଜରୁରୀ କାଗଜପତ୍ର, ଅତ୍ୟାବଶ୍ୟକ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ପଦାର୍ଥ ସଂଗରେ ଧରିବା ପାଇଁ ଅନୁରୋଧ କରାଯାଇଛି । ତେବେ ପ୍ରାୟ ୧୧ ଲକ୍ଷ ସ୍ଥାନାନ୍ତର ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖିବାର ଆମର ସାମର୍ଥ୍ୟ ରହିଛି ବୋଲି ଏସଆରସି ଶ୍ରୀ ଜେନା ସ୍ପଷ୍ଟ କରିଥିଲେ।
ମହାବାତ୍ୟାରେ ‘ଅମ୍ଫାନ୍’ ଦ୍ୱାରା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ପ୍ରଭାବିତ ହେବାର ସମ୍ଭବାନା ରହିଛି । ଏସବୁ ଜିଲ୍ଲାରେ ବାତ୍ୟା ମୁକାବିଲା ତଦାରଖ ଲାଗି ୪ ବରିଷ୍ଠ ଆଇଏଏସ୍ଙ୍କୁ ଦାୟିତ୍ୱ ଦିଆଯାଇଛି । ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢୀଙ୍କୁ ବାଲେଶ୍ୱର, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀଙ୍କୁ ଭଦ୍ରକ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଓ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କୁ ଜଗତସିଂହପୁର ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ଏମାନେ ‘ଅମ୍ଫାନ୍’ର ମୁକାବିଲା କ୍ଷେତ୍ରରେ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଯୋଗାଇବା ସହିତ ସହଯୋଗ କରିବେ । ମୋମବାର ଏନେଇ ସ୍ୱତନ୍ତ୍ର ରିଲିଫ୍ କମିସନର ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।
Comments are closed.