ଅଗିରା ପୂର୍ଣ୍ଣମୀ

ଶୀତ ଋୁତର ଶେଷ ମାଘ ପୂର୍ଣ୍ଣମୀ ଅଗିରା ପୂର୍ଣ୍ଣମୀ ଭାବେ ପରିଚିତ । ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ଅଗିଜଳା ଏକ ପରିଚିତ ଦୃଶ୍ୟ । ଅଗ୍ନି ଦେବତାଙ୍କ ପୂଜା ବୈଦିକ ଯୁଗରୁ ରହିଆସିଛି । ବୈଦିକ ଭାଷାରେ – ‘ଅଗ୍ନି ମିଳେ ପୁରୋହିତଂ’ ତେଣୁ ବେଦରେ ଅଗ୍ନି ହେଉଛନ୍ତି ପ୍ରଥମ ଦେବତା । କେବଳ ଗାଁରେ ନୁହେଁ ସହରରେ ମଧ୍ୟ ଛକ ସ୍ଥାନ ମାନଙ୍କରେ ଧାନ ନଡ଼ା ଏକତ୍ର କରାଯାଇ, ଏହାକୁ ପୂଜାର୍ଚ୍ଚନା କରି ଅଗ୍ନୀ ସଂଯୋଗ କରାଯାଇଥାଏ । ଏଥିରେ ବାଇଗଣ ଓ ଅନ୍ୟାନ୍ୟ ପରିବା ପୋଡ଼ି ଖାଇଲେ କିଛି ଚର୍ମରୋଗ ହୋଇନଥାଏ ବୋଲି ଲୋକବିଶ୍ୱାସ ରହିଛି । ଏହିଦିନରୁ ବାଘପରି ମାଘ ମାସର ଶୀତ ବିଦାୟ ନେଇ ବସନ୍ତ ଋତୁର ମୃଦୁ ସମୀରଣ ଭିତରେ ଗ୍ରୀଷ୍ମଋତୁକୁ ସ୍ୱାଗତ କରାଯାଇଥାଏ ।
ଅଗ୍ନି ଦେବତାଙ୍କୁ ପଞ୍ଚାକ୍ଷର ମନ୍ତ୍ରରେ “ଓଁ ଆଗ୍ନେୟ ନମଃ’’ ଉଚ୍ଚାରଣ କରି ଆର୍ଯ୍ୟଋଷି ଜପ କରିଛନ୍ତି । ମୁନିଋଷିମାନେ ଅଗ୍ନିଙ୍କ ସ୍ୱରୂପ କଳ୍ପନା କରି “ସର୍ବଲକ୍ଷଣ ସମ୍ପୂର୍ଣ୍ଣଂ ଜଟାମୁକୁଟ ମଣ୍ଡିତଂ । ଶୁଦ୍ଧଚାମୀକରଭାସଂ ସ୍ମେରାସ୍ୟଂ ମଧୁରାଧରଂ । ପୀତାମ୍ବର ପରିଧାନଂ ଦିବ୍ୟାଭରଣ ଭୂଷିତଂ ଚନ୍ଦନାଗୁରୁ କପୂରୈ ଶ୍ଚର୍ଚ୍ଚିତଂ ସ୍ରଗ୍‌ ବିଭୂଷିତଂ’’ ବୋଲି ଧ୍ୟାନ କରିଥାଆନ୍ତି । ପରବର୍ତ୍ତୀ କାଳମାନଙ୍କରେ ଏହି ଅଗ୍ନିପୂଜା ଏଡ଼େ ଜଟିଳ ଏବଂ କଷ୍ଟସାଧ୍ୟ ହୋଇପଡ଼ିଛି ଯେ କର୍ମ ମୁଖର ଏବଂ କର୍ମ ଚଞ୍ଚଳ ଜୀବନରେ ମନୁଷ୍ୟ ବିଧିବିଧାନ ମତେ ଯଜ୍ଞ ପ୍ରଭୃତିରେ ଅଗ୍ନି ପୂଜା କରିବା ଅନେକାଂଶରେ ବ୍ୟାହତ ହୋଇଛି । ତଥାପି ଆର୍ଯ୍ୟ ସଭ୍ୟତାରେ ଅଗ୍ନି ଦେବତାଙ୍କର ରହିଛି ସ୍ୱତନ୍ତ୍ର ସ୍ଥାନ । ଏପରିକି ବୈଦିକ ରୀତିର ପ୍ରତ୍ୟେକ ଆର୍ଯ୍ୟ ପାଇଁ ଆଜି ମଧ୍ୟ ଆବଶ୍ୟକ ପଡ଼ୁଛି – ହୋମ ତଥା ଅଗ୍ନିପୂଜା । ଅଗ୍ନିର ଉତ୍ସ ହେଉଛି ସୌର ଜଗତର ନବଗ୍ରହ ମାନଙ୍କର ସୃଷ୍ଟି କେନ୍ଦ୍ର ସୂର୍ଯ୍ୟ ଦେବତା । ପୁରାଣରେ ସୂର୍ଯ୍ୟପୂଜା ସମ୍ପର୍କରେ ମଧ୍ୟ ସୂଚୀତ ରହିଛି ।

Comments are closed.