By Papu Mohanty
ରାୟପୁର : ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କର ଶୁକ୍ରବାର ଅପରାହ୍ନ ରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।ଅଜିତ ଯୋଗୀ ଗତ ୯ ତାରଖରେ ହୃଦାଘାତର ଶିକାର ହେବାପରେ ଚିକିତ୍ସା ପାଇଁ ତାଙ୍କୁ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ତାଙ୍କର ଲଗାତର ହୃଦଘାତ ହେବା ଫଳରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡ଼ିଥିଲା ।ତାଙ୍କୁ ଆଇସିୟୁ ମଧ୍ୟରେ ରଖି ଚିକିତ୍ସା କରୁଥିବା ଡାକ୍ତରମାନେ ତାଙ୍କ ସ୍ୱ୍ୱାସ୍ଥାବସ୍ଥା ଅତ୍ୟନ୍ତ ଗୁରୁତର ବୋଲି କହିଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଆଜି ଅପରାହ@ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ପୁତ୍ର ଅମିତ୍ ଯୋଗୀ ଟ୍ୱିଟର ଜରିଆରେ ଜଣାଇଛନ୍ତି । ତାଙ୍କର ବିୟୋଗରେ ବହୁ ବରିଷ୍ଠ ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅଜିତ ଯୋଗୀ ନଭେମ୍ବର ୨୦୦୦ ରୁ ନଭେମ୍ବର ୨୦୦୩ ପର୍ଯ୍ୟନ୍ତ ନବଗଠିତ ଛତିଶଗଡ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । କଂଗ୍ରେସ ଦଳର ଜଣେ ପୁରୁଖା ନେତା ଭାବେ ବିବେଚିତ ଅଜିତ ଯୋଗୀ ୨୦୧୬ରେ କଂଗ୍ରେସ ଦଳରୁ ଅଲଗା ହୋଇ ଯାଇଥିଲେ । ପରେ ସେ ଜନତା କଂଗ୍ରେସ ଛତିଶଗଡ (ଜେ) ନାମରେ ନିଜର ଏକ ରାଜନୈତିକ ଦଳ ଗଠନ କରିଥିଲେ ।ରାଜନୀତିରେ ଯୋଗ ଦେବା ପୂର୍ବରୁ ଯୋଗୀ ଆଇଏଏସ ଅଫିସର ଥିଲେ । ସେ ଇନ୍ଦୋରର ଜିଲ୍ଲାପାଳଭାବେ ପ୍ରାୟ ୫ ବର୍ଷ କାର୍ଯ୍ୟ କରିଥିଲେ । ତାଙ୍କ ପତ୍ନୀ ରେଣୁ ଯୋଗୀ ଏବେ ବିଧାୟିକା ଅଛନ୍ତି ।
Comments are closed.