ଭୁବନେଶ୍ୱର : ଆଉ ନାହାନ୍ତି ଓଡ଼ିଆ ସିନେ ଜଗତର କିମ୍ବଦନ୍ତୀ ତାରକା ଉତ୍ତମ ମହାନ୍ତି ଇ ଗୁରୁବାର ବିଳମ୍ବିତ ରାତିରେ ଗୁରୁଗାଓଁସ୍ଥିତ ମେଦାନ୍ତ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ତାଙ୍କ ଦେହାନ୍ତ ହୋଇଥିବା ନେଇ ପରିବାର ସୂତ୍ରରୁ ସୂଚନା ମିଳିଛି । ଶୁକ୍ରବାର ସାଢେ ୧୧ଟାରେ ଉତ୍ତମଙ୍କ ପାର୍ଥିବ ଶରୀର ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବ। ଏହାପରେ ତାଙ୍କୁ ଭୁବନେଶ୍ଵର ସ୍ଥିତ ବାସଭବନକୁ ନିଆଯିବ। ସେଠାରେ ଶେଷ ଦର୍ଶନ ପାଇଁ ଉତ୍ତମଙ୍କ ମରଶରୀର ୩ ରୁ ୪ ଘଣ୍ଟା ରଖାଯିବ। ତାଙ୍କ ବିୟୋଗରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି।
ସେ ଲିଭର୍ ସିରୋସିସ୍ ଓ ନିମୋନିଆରେ ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଅଧିକ ଚିକିତ୍ସା ଲାଗି ଗତ ୮ ତାରିଖରେ ଭୁବନେଶ୍ୱରରୁ ଏୟାରଲିଫ୍ଟ ହୋଇ ନୂଆଦିଲ୍ଲୀ ଯାଇଥିଲେ । ସେଠାରେ ଦୀର୍ଘ ୨୦ଦିନ ଧରି ଚିକିତ୍ସିତ ହେଉଥିଲେ ।
୧୯୫୮ ମସିହାରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଉତ୍ତମ ମହାନ୍ତିଙ୍କର ଜନ୍ମ । ୧୯୭୭ ମସିହାରେ ବାରିପଦାରେ ପ୍ରସିଦ୍ଧ ଚଳଚିତ୍ର ନିର୍ଦ୍ଦେଶକ ସାଧୁ ମେହେର ‘ଅଭିମାନ’ ନାମକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରସ୍ତୁତି କରୁଥିଲେ। ଏଥିରେ ଉତ୍ତମ ମହାନ୍ତି ହିରୋ ଭାବେ ଅଭିନୟ କରିବାକୁ ମନୋନୀତ ହୋଇଥିଲେ। ସେତେବେଳେ ବକ୍ସ ଅଫିସରେ ସୁପର ଡୁପର ହିଟ୍ ହୋଇଥିଲା ଏହି ଫିଲ୍ମ। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଡେବ୍ୟୁ କରିଥିଲେ ଉତ୍ତମ। ବାସ୍ ତା’ପରେ ସେ ଆଉ ପଛକୁ ଫେରିନାହାନ୍ତି। ଅଶି ଓ ନବେ ଦଶକରେ ଓଡ଼ିଆ ଫିଲ୍ମ ଜଗତରେ ଚାଲିଥିଲା ଉତ୍ତମ ମହାନ୍ତିଙ୍କ ରାଜୁତି।
ସେତେବେଳେ ଯେଉଁ କେତେ ଜଣ ଓଡ଼ିଆ ଫିଲ୍ମ ଜଗତରେ ନାୟକ ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ମୋହିତ କରିଥିଲେ, ସେମାନଙ୍କ ମଧ୍ୟରେ ଥିଲେ ଉତ୍ତମ ମହାନ୍ତି । ୧୩୫ରୁ ଅଧିକ ଓଡ଼ିଆ ଫିଲ୍ମ, ୩୦ରୁ ଅଧିକ ବଙ୍ଗଳା ଫିଲ୍ମ ଓ ଗୋଟିଏ ହିନ୍ଦୀ ଫିଲ୍ମରେ ବି ଅଭିନୟ କରିଛନ୍ତି ଉତ୍ତମ ମହାନ୍ତି। ସେ ପ୍ରସିଦ୍ଧି ପାଇଥିବା ପ୍ରମୁଖ ସିନେମା ଗୁଡିକ ମଧ୍ୟରୁ ‘ଫୁଲ ଚନ୍ଦନ’, ‘ଝିଅଟି ସୀତା ପରି’, ‘ଦଣ୍ଡା ବାଳୁଙ୍ଗା’, ‘ସୁନା ଚଢ଼େଇ’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ବେଳେ ‘ତୋ ବିନୁ ଅନ୍ୟଗତି ନାହିଁ’ ପାଇଁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ପୁରସ୍କାର ପାଇଥିଲେ । ୧୯୯୯ ମସିହାରେ ସେ ‘ଜୟଦେବ ପୁରସ୍କାର’ ପାଇଥିଲେ ।