ବଢୁଛି ଖରା, ଶିକ୍ଷାନୁଷ୍ଠାନ ପାଇଁ ଆସିବ ଗାଇଡଲାଇନ – ମନ୍ତ୍ରୀ

0

ଭୁବନେଶ୍ୱର : ଫେବୃଆରୀ ଆରମ୍ଭରୁ ପ୍ରକୋପ ଦେଖାଇ ଥିଲା ଖରା I ମଝିରେ କିଛି ଦିନ ବର୍ଷା ପାଇଁ ପାଗରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ମାର୍ଚ୍ଚ ଆରମ୍ଭ ବେଳକୁ ୩୮ ଡ଼େଇଁଲାଣି ପାରଦ । ଗ୍ରୀଷ୍ମ ପ୍ରବାହ ବଢ଼ୁଥିବା ଦେଖି ଆଗୁଆ ସତର୍କ ହୋଇଛନ୍ତି ସରକାର । ସ୍କୁଲ କଲେଜ ପାଇଁ ଖୁବଶୀଘ୍ର ଆସିବ ଗାଇଡଲାଇନ୍‌ । ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ସହିତ ରାଜସ୍ବ ବିଭାଗର ସରିଛି ଆଲୋଚନ । ଦିନେ ଦୁଇ ଦିନ ମଧ୍ୟରେ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ଆସିବ ବୋଲି ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ।

ମନ୍ତ୍ରୀ କହିଛନ୍ତି ,କେବେଠୁ ସକାଳୁଆ ସ୍କୁଲ୍, କଲେଜ ହେବ, ଛାତ୍ରଛାତ୍ରୀ କିପରି ସୁରକ୍ଷିତ ରହିବେ ସେ ନେଇ ଗାଇଡ୍‌ଲାଇନ୍ ଆସିବ । କେବଳ ସ୍କୁଲ୍‌, କଲେଜ ନୁହେଁ ରାଜ୍ୟବାସୀଙ୍କ ପାଇଁ ବି ଦୁଇ ଦିନ ମଧ୍ୟରେ ଆସିବ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯିବ । ଜାରି ହେବାକୁ ଥିବା ଗାଇଡ୍‌ଲାଇନ୍ ମାନିବାକୁ ପରାମର୍ଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ।

ଗତ ୨୪ ଘଣ୍ଟାରେ ରାଜ୍ୟର ୧୦ ସହରରେ ପାରଦ ୩୭ ଡିଗ୍ରୀ ଛୁଇଁଥିଲା । ରାଜ୍ୟର ୨ଟି ସ୍ଥାନରେ ପାରଦ ୩୮ ଡିଗ୍ରୀ ପାର୍ କରିଥିଲା । ବୌଦ୍ଧ ଓ ବଲାଙ୍ଗିର ତାପମାତ୍ରା ୩୮ ଡେଇଁଛି । ବୌଦ୍ଧରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୮.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବଲାଙ୍ଗିରର ସର୍ବୋଚ୍ଚ ଦିନ ତାପମାତ୍ରା ୩୮.୧ ଡିଗ୍ରୀ ରହିଥିଲା ।

ଅନୁଗୁଳର ସର୍ବୋଚ୍ଚ ଦିନ ତାପମାତ୍ରା ୩୭.୯ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡ଼ ୩୭.୬ ଡିଗ୍ରୀ, ଭଦ୍ରକ ଓ ଝାରସୁଗୁଡ଼ା ୩୭.୫ ଡିଗ୍ରୀ, ଯାଜପୁର ୩୭.୨ ଡିଗ୍ରୀ, ବାରିପଦା, ସୋନପୁର ଓ ଭବାନୀପାଟଣାରେ ପାରଦ ୩୭ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିଭଳି ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ଦିନ ସାଢ଼େ ୨ଟାରେ ୩୫.୬ ଡିଗ୍ରୀ ରହିଥିବା ବେଳେ ଅପରାହ୍ଣରେ ୩୬.୧ ଡିଗ୍ରୀ ରେକର୍ଡ ହୋଇଥିଲା । କଟକର ସର୍ବୋଚ୍ଚ ଦିନ ତାପମାତ୍ରା ୩୪.୨ ଡିଗ୍ରୀ ସେଲସିୟସ୍ ରହିଥିଲା । କାଲି ଭଳି ଆଜି ବି ରାଜ୍ୟରେ ପାଗ ଶୁଖିଲା ରହିବା ସହ ବିଭିନ୍ନ ସ୍ଥାନରେ ପାରଦ ୩୪ ଉପରେ ରହିପାରେ ।

Leave A Reply

Your email address will not be published.