ନୟାଗଡ଼ : ୨ୟ ବିବାହ ନିଶାରେ ୨ ପୁଅଙ୍କୁ ହତ୍ୟା କଲା ପିଶାଚ ବାପା । ଏହି ଜଘନ୍ୟ କାଣ୍ଡରେ ସହଯୋଗ କଲେ ୨ ପିଲାଙ୍କ ଜେଜେମା’ । ଏହି ଘଟଣାରେ ହତ୍ୟାକାରୀ ବାପା ପ୍ରକାଶ ମହାନ୍ତିଙ୍କ ସହ ସହଯୋଗ କରିଥିବା ଜେଜେମାଆକୁ ଗିରଫ କରିଛି ନୟାଗଡ଼ ପୋଲିସ । ଦୁଇ ପୁଅଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସ୍ଵୀକାର କରିଛି ବାପା ପ୍ରକାଶ ମହାନ୍ତି। ଗତ ଚାରି ଦିନ ଧରି ବାପା ପ୍ରକାଶ ମହାନ୍ତି ଓ ଜେଜେମା ସୌରୀ ମହାନ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ। ଆଜି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଫତେଗଡ ଥାନା ପୋଲିସ।
ଘଟନାନୁସାରେ,ଗତ ୧୦ ତାରିଖରେ ନୟାଗଡ଼ ଫତେଗଡ଼ ଥାନା ଅନ୍ତର୍ଗତ ଧାନଚାଙ୍ଗଡ଼ା ଗାଁର ପ୍ରଶାନ୍ତ ମହାନ୍ତିଙ୍କ ସ୍ତ୍ରୀ ୨ ବର୍ଷ ପୂର୍ବରୁ ଆତ୍ମହତ୍ୟା କରିଥିଲେ । ତାଙ୍କର ୨ ଜଣ ପୁଅ ଥିଲେ । ବଡ଼ ପୁଅକୁ ୧୪ ବର୍ଷ ହୋଇଥିବା ବେଳେ ସାନପୁଅକୁ ୧୧ ବର୍ଷ ହୋଇଥିଲା। କିଛି ଦିନ ହେଲା ପ୍ରକାଶଙ୍କ ଦ୍ଵିତୀୟ ବିବାହ କଥା ଉଠିଥିଲା । ଏନେଇ ଏକ ପ୍ରସ୍ତାବ ମଧ୍ୟ ଆସିଥିଲା । ଦ୍ବିତୀୟ ବିବାହକୁ ବଡ଼ ପୁଅ ବିରୋଧ କରିବାରୁ ରାସ୍ତାରୁ କଣ୍ଟା ହଟାଇବାକୁ ଦୁଇ ପୁଅଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ ମୃତ ଦୁଇ ଭାଇଙ୍କ ମାମୁ । ହତ୍ୟାକରି ବେକରେ ଲୁଗା ଲଗାଇ ଆଜବେଷ୍ଟସରେ ଟାଙ୍ଗି ଦେଇଥିଲେ। ହତ୍ୟାକାଣ୍ଡ ମାମଲାରେ ଆଜି ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।