କାକଟପୁର: ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । ପୁରୀ ଜିଲ୍ଲାର କାକଟପୁର ମା ମଙ୍ଗଳାଙ୍କ ପୀଠ ସମେତ ରାଜ୍ୟରେ ଥିବା ବିଭିନ୍ନ ମା’ମଙ୍ଗଳାଙ୍କ ମନ୍ଦିରରେ ଆରମ୍ଭ ହୋଇଛି ଚୈତ୍ର ପର୍ବ। ବାଟ ମଙ୍ଗଳାଙ୍କୁ ପୂଜିବା ପାଇଁ ଦାଣ୍ଡରେ ମା’ ମାଉସୀଙ୍କ ଭିଡ଼ ଦେଖାଯାଉଛି । ଘରର ବାହାରେ ମା’ଙ୍କୁ ଝୁଣା,ଧୂପ ,ଦୀପରେ ବନ୍ଦାପନା କରି ପରିବାର ସଦସ୍ୟଙ୍କ ଶୁଭ ମନାସୀ ମା’ଙ୍କୁ ପଣା ନୈବେଦ୍ୟ ଅର୍ପଣ କରିବେ । ଝୁଣା ଧୂପ ବାସ୍ନାରେ ମହକି ଉଠୁଛି ଘରର ଦାଣ୍ଡ ଅଗଣା । ତେବେ ଚୈତ୍ରମାସ ମା’ ତାରିଣୀଙ୍କ ଜନ୍ମ ମାସ ହୋଇଥିବାରୁ କେନ୍ଦୁଝର ଘଟଗାଁ ସ୍ଥିତ ମା’ତାରିଣୀଙ୍କ ପୀଠ ଏବଂ ବ୍ରହ୍ମପୁରର ତାରାତାରିଣୀ ପୀଠ ହୋଇ ଉଠିଛି ଚଳଚଞ୍ଚଳ । ପ୍ରତ୍ୟେକ ବର୍ଷ ଚୈତ୍ର ମାସର ପ୍ରଥମ ମଙ୍ଗଳବାରରେ ମାଙ୍କ ନିକଟରେ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା ହୋଇଥାଏ ।
ଏହି ଅବସରରେ ଆଜି ମାଙ୍କ ସେବାୟତ ମାନେ ବ୍ରହ୍ମ ମୂହୁର୍ତ୍ତରୁ ଆସି ମାଙ୍କୁ ପ୍ରଥମେ ମହାସ୍ନାନ, ମାଜଣା, ବଡ଼ ସିଂହାର ବେଶ ସମେତ ଷୋଡ଼ଶ ଉପଚାର ପୂଜା ସମାପନ କରି ମାଙ୍କୁ ସୁସଜ୍ଜିତ କରି ମନ୍ଦିର ପହଡ଼ ଖୋଲିଥିଲେ । ମନ୍ଦିର ପହଡ ଖୋଲିବା ପରେ ମାଙ୍କୁ ଏହି ଚୈତ୍ର ମାସର ପ୍ରଥମ ମଙ୍ଗଳବାର ରେ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ବହୁ ସଂଖ୍ୟାରେ ସମାଗମ ଦେଖିବାକୁ ମିଳିଛି ।
ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ମଙ୍ଗଳା । ଆଜି ସକାଳୁ ହଜାର ହଜାର ଭକ୍ତ ମନ୍ଦିର ଆସି ମାଆଙ୍କ ଦର୍ଶନ କରୁଛନ୍ତି । ମାଆଙ୍କ ଦର୍ଶନ ପାଇଁ ଭକ୍ତମାନେ ଲମ୍ବା ଲାଇନରେ ଛିଡା ହୋଇରହିଥିବା ପରିଲକ୍ଷିତ ହୋଇଛି । ପୀଠରେ ମାଆଙ୍କର ସ୍ବତନ୍ତ୍ର ନୀତିକାନ୍ତି ସହ ପୂଜାର୍ଚ୍ଚନା ଚାଲିଛି ।
ସେହିପରି ଚୈତ୍ର ମାସ ପ୍ରଥମ ମଙ୍ଗଳବାରରୁ ଆରମ୍ଭ ହୋଇଥାଏ କାକଟପୁରର ମାଆ ମଙ୍ଗଳାଙ୍କ ଚଇତି ପର୍ବ । ପବିତ୍ର ଯାତ୍ରାକୁ ନେଇ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠ ଚଳଚଞ୍ଚଳ ଓ ଉତ୍ସବ ମୁଖର ହୋଇଉଠିଛି । ମାଆଙ୍କ ନିକଟରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି । ଚଇତି ଯାତ୍ରାର ପ୍ରଥମ ଦିନରେ ମାଆ ରାଜରାଜେଶ୍ୱରୀ ବେଶରେ ସୁସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ବ୍ରାହ୍ମ ମୁହୂର୍ତ୍ତରୁ ମନ୍ଦିରର ଦ୍ବାର ଫିଟା ଯାଇ, ମଙ୍ଗଳ ଆଳତୀ, ସ୍ନାନ, ମାର୍ଜନା, ମଇଲମ କରାଯିବା ପରେ ମାଆଙ୍କୁ ରାଜରାଜେଶ୍ୱରୀ ବେଶରେ ବେଶ ସଜ୍ଜିତ କରାଯାଇଥିଲା । ମାଆଙ୍କ ଶେଷ ମଙ୍ଗଳବାର ବୈଶାଖ ମାସ ପ୍ରଥମ ମଙ୍ଗଳବାରରେ ଅନୁଷ୍ଠିତ ହୋଇଥାଏ ପ୍ରସିଦ୍ଧ ଝାମୁ ଯାତ୍ରା ।