ବାଲେଶ୍ୱର : ସାମାନ୍ୟ ବଚସାରୁ ଫୁଟିଲା ଗୁଳି । ଗାଡି ସାଇଡ ମରାକୁ ନେଇ ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଆହତ ଯୁବକ ହେଲେ ସୁଧାଂଶୁ ଶେଖର ଜେନା । ତାଙ୍କ ଆଣ୍ଠୁରେ ଗୁଳି ବାଜିଛି । ତାଙ୍କୁ ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ବାଲେଶ୍ୱର ବଡ଼ ମେଡିକାଲରେ ଭର୍ତି କରାଯାଇଛି । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଶ୍ରୀରାମପୁର ପଞ୍ଚାୟତ ନିମା ଗାଁରେ ।
ଘଟନାନୁସାରେ,ଗତକାଲି ରାତି ପ୍ରାୟ ୧୦ଟା ସମୟରେ ସୁଧାଂଶୁ ଓ ତାଙ୍କ ମାଉସୀ ପୁଅ ଭାଇ ଚିନ୍ମୟୀ ଏକ ବାଇକରେ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଅନ୍ୟ ୨ଟି ବାଇକରେ ଚକରି ଗାଁର ୩ ଜଣ ଯୁବକ ଆସି ତାଙ୍କ ଗାଡି ଅଟକାଇବାକୁ ଚେଷ୍ଟା କରିଥିଲେ । ସୁଧାଂଶୁ ସାଇଡ଼ ମାଗିବାରୁ ସାଇଡ ନଦେଇ ସୁଧାଂଶୁଙ୍କ ଗାଡ଼ି ଛଡ଼ାଇବାକୁ ଉଦ୍ୟମ କରିଥିଲେ । ସୁଧାଂଶୁ ଏଥିରେ ବାଧା ଦେବାରୁ ଗୁଳି ମାଡ଼ କରି ୩ ଯୁବକ ଫେରାର ହୋଇଯାଇଥିଲେ ।ଅଭିଯୋଗ ପାଇବା ପରେ ବସ୍ତା ଥାନା ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।