ବ୍ରହ୍ମପୁର : ଗୁଣିଗାରେଡ଼ିକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି । ପୂର୍ବ ବିବାଦକୁ ନେଇ ମଙ୍ଗଳବାର ସନ୍ଧ୍ୟାରେ ୨ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇ ବାପପୁଅଙ୍କ ସମେତ ୩ ଜଣଙ୍କର ମତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ ଖାରିପଲ୍ଲୀ ଗ୍ରାମରେ । ମୃତକ ମାନେ ହେଲେ ଗ୍ରାମର ଖଦାଳ ବେହେରା (୬୫) ପୁଅ ରତ୍ନାକର ବେହେରା (୩୫) ଏବଂ ରତ୍ନାକରଙ୍କ ଆକ୍ରମଣରେ ଏ ଗୋଷ୍ଠୀର ରମେଶ ବେହେରା(୩୨) । ସେହିପରି ଆହତଙ୍କ ମଧ୍ୟରେ ଅରୁଣ ବେହେରା (୩୦), ଭିକାରୀ ବେହେରା (୧୮), ଜଗା ବେହେରା (୧୮)ଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଧରାକୋଟ ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗାଁରେ ଉତ୍ତେଜନା ଲାଗି ରହିଛି। ପୋଲିସ ଫୋର୍ସ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛି। ୧୦ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି ।
ଘଟନାନୁସାରେ,ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତର ଖାରୀପଲ୍ଲୀ ଗାଁ । ଏହି ଗାଁରେ ୫୦ ପରିବାର ଧୀବର ବସବାସ କରନ୍ତି । ପ୍ରାୟ ୩ ବର୍ଷ ପୂର୍ବେ ଗୁଣି ଗାରେଡ଼ିକୁ ନେଇ ଗଣ୍ଡଗୋଳ ଘଟିବାରୁ,ପାଞ୍ଚ ପରିବାର ଗାଁ ଛାଡି କିଛି ବର୍ଷ ପାଇଁ ବାହାରକୁ ପଳାଇ ଥିଲେ । ଅଭିଯୋଗ କଲେ କି ସେମାନଙ୍କୁ ବାସନ୍ଦ କରି ଦିଆଗଲା । ଘଟଣାର ଛଅ ମାସ ପରେ ପୋଲିସ ସହାୟତାରେ ଗ୍ରାମବାସୀକୁ ବୁଝାସୁଝା ପରେ ଗାଁକୁ ଫେରିଥିଲେ ଦୁଇ ପରିବାର । ସେବେଠାରୁ ଗ୍ରାମବାସୀ ଓ ସେହି ପରିବାର ମଧ୍ୟ ତିକ୍ତତା ଲାଗିରହିଥିଲା । ମଙ୍ଗଳବାର ସନ୍ଧ୍ୟା ସମୟରେ ଗୁଣି ଗାରେଡ଼ିକୁ ନେଇ ଉଭୟ ପକ୍ଷ ମଧ୍ୟରେ ମାରପିଟ୍ ହୋଇଥିଲା । ଖଦାଳ ଓ ରତ୍ନାକରଙ୍କ ଘରକୁ ଆସି ଗ୍ରାମବାସୀ ମାନେ ପାଟିତୁଣ୍ଡ କରି ଥିଲେ । ଉଭୟ ପକ୍ଷର ବଚସା ସମୟରେ ପୁଅ ରତ୍ନାକର ବେହେରା ଅଚାନକ ଖଣ୍ଡାରେ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ଚାରି ଜଣ ଗ୍ରାମବାସୀ ଗୁରୁତର ହୋଇଥିଲେ । ଚାରି ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିତାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଅପରପକ୍ଷେ ଗ୍ରାମବାସୀଙ୍କ ଆକ୍ରମଣରେ ଘଟଣାସ୍ଥଳରେ ବାପା-ପୁଅଙ୍କର ମୃତ୍ୟୁ ହୋଇଯାଇଛି ।
ତେବେ ହତ୍ୟାକାଣ୍ଡ ପରେ ଗାଁରେ ଉତ୍ତେଜନା ଦେଖାଦେଇଥିଲା । ଘଟଣାସ୍ଥଳରେ ଆସିକା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କ ଦୁଇ ପ୍ଲାଟୁନ ଫୋର୍ସ ଉପସ୍ଥିତ ରହିଛନ୍ତି । ପୋଲିସ ଘଟଣାର ତଦନ୍ତ କରି ୧୦ ଜଣଙ୍କ ଅଟକ ରଖି ଜେରା କରୁଥିବା ସୂଚନା ମିଳିଛି ।