ଗୃହର ମର୍ଯ୍ୟାଦା ରହିବା ଜରୁରୀ – ମନମୋହନ ସାମଲ

0

ଭୁବନେଶ୍ୱର : ବିଧାନସଭା ୨ୟ ପର୍ଯ୍ୟାୟ ଆରମ୍ଭରୁ ଦେଖିବାକୁ ମିଳିଛି ବିରୋଧୀଙ୍କ ହାଇଡ୍ରାମା । ଲଗାତାର ୪ ଦିନ ଧରି ଗୃହକୁ ଅଚଳ କରି ରଖିଛି କଂଗ୍ରେସ । ରାଜ୍ୟରେ ମହିଳା ଅସୁରକ୍ଷିତ ଏବଂ ଏଥିଲାଗି ଗୃହକମିଟି ଦାବି କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବନ ହେବା ଘଟଣାରେ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ଏହାକୁ ନେଇ ଗୁରୁବାର ରାଜ୍ୟ କଂଗ୍ରେସ ବିଧାନସଭାର ଚତୁଃପାର୍ଶ୍ୱକୁ ଘେରାଉ କରିଛି ।

ପ୍ରଥମେ ବିଧାନସଭା, ପରେ ରାଜରାସ୍ତା, ଆଉ ଏବେ ପ୍ରେସ୍‌ମିଟ୍‌ ଜରିଆରେ ଚାଲିଛି ଆରୋପ -ପ୍ରତ୍ୟାରୋପ । ବୁଧବାର କଂଗ୍ରେସ ପ୍ରେସମିଟ୍‌ କରି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଗୁରୁବାର ଦିନ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ହୋଇଥିଲା ପ୍ରେସ୍‌ମିଟ୍‌ । ଏଥିରେ ବିରୋଧୀଙ୍କ ଉପରେ ବର୍ଷିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ସାମ୍ବାଦିକ ସମ୍ମିଳନୀରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଦଳ ଓ କଂଗ୍ରେସ ନେତାମାନେ ଆଗ ଆତ୍ମସମୀକ୍ଷା କରନ୍ତୁ । ସେମାନେ ବିରୋଧୀ ଦଳର ଭୂମିକା ବୁଝିନାହାନ୍ତି । ଗୃହରେ ବିରୋଧୀଙ୍କ ଆଚରଣ ଏବଂ ଉଚ୍ଚାରଣ ଠିକ୍ ନୁହେଁ । ଅଧିବେଶନ ସମୟରେ ବିଧାନସଭାରେ ମର୍ଯ୍ୟାଦା ରହିବା ଜରୁରୀ । ବିଜେପି ସର୍ବଦା ଗଣତନ୍ତ୍ର ଉପରେ ବିଶ୍ୱାସ କରେ । ତେଣୁ ବିରୋଧୀଙ୍କ ଦ୍ୱାରା କରାଯାଉଥିବା ଏହି ସବୁ କାମ ଗଣତନ୍ତ୍ର ପାଇଁ ଶୁଭ ନୁହେଁ ।

ଅନ୍ୟପଟେ ,ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ବିଧାନସଭା ଘେରାଉ ପାଇଁ କଂଗ୍ରେସର ପଦଯାତ୍ରା ଆରମ୍ଭ ହୋଇଛି। ରାମମନ୍ଦିର ଛକରୁ ପଦଯାତ୍ରା ବାହାରି ବିଧାନସଭା ଅଭିମୁଖେ ଅଗ୍ରସର ହେଉଛି। ହଜାର ହଜାର ସଂଖ୍ୟକ କଂଗ୍ରେସ ନେତା ଓ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଅପରପକ୍ଷେ କଂଗ୍ରେସର ବିଧାନସଭା ଘେରାଉକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ଵରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀର ସବୁ ଗୁରୁତ୍ଵପୂର୍ଣ୍ଣ ଛକ ଏବଂ ମୁଖ୍ୟ ରାସ୍ତାରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ସୁରକ୍ଷା ପାଇଁ ମୋଟ୍ ୮୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଘଟେ, ସେଥିପ୍ରତି ସୁରକ୍ଷାକର୍ମୀମାନେ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।

 

Leave A Reply

Your email address will not be published.