ଆଗାମୀ ଦିନରେ ଓଡ଼ିଶା ମାନୁଫାକ୍ଚରିଙ୍ଗ ହବ୍‍ ହେବ

0

ଭୁବନେଶ୍ୱର:ନୂଆ ସରକାର ଆସିବା ପରେ ରାଜ୍ୟରେ ଶିଳ୍ପାୟନ ପାଇଁ ଯେତେ ସବୁ MoU ସ୍ୱାକ୍ଷରିତ ହୋଇଛି, ସେ ସବୁକୁ କାର୍ଯ୍ୟକାରୀ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ଯୋଜନା ଅନୁସାରେ ଆମର କାର୍ଯ୍ୟ ଜାରି ରହିଛି। ସେଥିପାଇଁ ଯାହା ଆବଶ୍ୟକ, ତାହା ଆମେ କରୁଛୁ ଆଉ କରିବୁ ମଧ୍ୟ। ବଡ଼ ସ୍ୱପ୍ନ ଦେଖିବା ସହିତ କଠୋର ପରିଶ୍ରମ କରି ତାକୁ କାର୍ଯ୍ୟକାରୀ ନ କଲା ପର୍ଯ୍ୟନ୍ତ ବିଶ୍ରାମ ନାହିଁ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ନିକଟବର୍ତ୍ତୀ ହଳଦୀପଦା ଠାରେ ବିଭିନ୍ନ ଶିଳ୍ପାନୁଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‍ଘାଟନ ଅବସରରେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଓଡ଼ିଶାର ଶିଳ୍ପଜଗତ ପାଇଁ ଏକ ଉଲ୍ଲେଖନୀୟ ଦିବସ। ଏଠାରେ ୧୩ଟି ଶିଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଗଲା ଓ ଗୋଟିଏ ଶିଳ୍ପର ଉଦ୍‍ଘାଟନ କରାଗଲା। ଏହି ୧୪ଟି ଶିଳ୍ପରେ ପ୍ରାୟ ୬ ହଜାର କୋଟି ଟଙ୍କା ବିନିଯୋଗ କରାଯାଉଛି। ଉଦ୍ୟୋଗଗୁଡ଼ିକ ପୂର୍ଣ୍ଣକ୍ଷମ ହେଲେ ୩୭ ହଜାରରୁ ଅଧିକ ଯୁବଗୋଷ୍ଠୀଙ୍କୁ ନିଯୁକ୍ତିର ସୁଯୋଗ ମିଳିବ। ଏହା କେବଳ ଆରମ୍ଭ ମାତ୍ର। ଆଗାମୀ ଦିନରେ ଅନେକ ଶିଳ୍ପ ପ୍ରତିଷ୍ଠା ହେବ। ଓଡ଼ିଶାରେ ସବୁ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ହେବ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଆଜି ଯେଉଁ ପ୍ରକଳ୍ପ ଗୁଡ଼ିକ ଆରମ୍ଭ ହେଉଛି ସେ ଗୁଡ଼ିକ ଗୋଟିଏ କ୍ଷେତ୍ରର ନୁହେଁ । ଏଥିରେ ପୋଷାକ ପ୍ରସ୍ତୁତି, ପ୍ୟାକେଜିଙ୍ଗ, ଖାଦ୍ୟ ପ୍ରକ୍ରିୟାକରଣ, କ୍ୟାପିଟାଲ ଗୁଡସ୍‍ ଓ ରେଳ ଚକ ନିର୍ମାଣ ପ୍ରକଳ୍ପ ରହିଛି। ଏ ଗୁଡ଼ିକ ପାରମ୍ପରିକ ଫାକ୍ଟ୍ରି ନୁହେଁ। ଏ ଗୁଡ଼ିକ ଆଧୁନିକ ଅର୍ଥନୀତିର ବାର୍ତ୍ତାବହ। ଓଡ଼ିଶାରେ ଆଜି ଶିଳ୍ପପତିମାନେ ପୁଞ୍ଜିନିବେଶ ପାଇଁ ଅଭୂତପୂର୍ବ ଆଗ୍ରହ ପ୍ରକାଶ କରୁଛନ୍ତି ତା’ର କାରଣ ହେଉଛି ଡବଲ ଇଞ୍ଜିନ ସରକାରର ସୁବିଧା ଓ Ease of Doing Business ପାଇଁ ଅନୁକୂଳ ବାତାବରଣ।

 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଉ କୌଣସି ଅସୁବିଧା ନାହିଁ । ଶିଳ୍ପଦ୍ୟୋଗୀମାନଙ୍କୁ ନିୟମ ଅନୁଯାୟୀ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର Clearance ଓ Permission ସୁବିଧାରେ ପ୍ରଦାନ କରାଯାଉଛି।

ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯୁବବର୍ଗ ହେଉଛନ୍ତି ଆମ ଅଭିବୃଦ୍ଧିର ଇଞ୍ଜିନ। ସେମାନଙ୍କ ଦକ୍ଷତା ବିକାଶ ପାଇଁ ସି.ଏମ୍.ଆସ୍ପାୟାର ଯୋଜନା, ନୂଆ-ଓଡ଼ିଶା ଯୋଜନା ଏବଂ ଆଇଟିଆଇ ଓ ପଲିଟେକ୍‍ନିକ ଗୁଡ଼ିକର କ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି। ୱର୍ଲଡ ସ୍କିଲ ସେଣ୍ଟରରେ ସେମି କଣ୍ଡକ୍ଟର ସହିତ ଆହୁରି ଅନେକ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପର୍କରେ ଟ୍ରେନିଂ ଦିଆଯିବ । ବୃତ୍ତିଗତ ଓ ବୈଷୟିକ ଶିକ୍ଷାରେ ଝିଅମାନଙ୍କୁ ସଶକ୍ତ କରିବା ପାଇଁ ସୁଦକ୍ଷା ଯୋଜନା ଓ ଯୁବପିଢ଼ିଙ୍କୁ ଉଦ୍ୟୋଗୀ କରିବା ପାଇଁ ନାନୋ ୟୁନିକର୍ଣ୍ଣ ଯୋଜନା ଯୁବବର୍ଗଙ୍କ ମଧ୍ୟରେ ବୈପ୍ଲବିକ ପରିବର୍ତ୍ତନ ଆଣିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉତ୍କର୍ଷ ଓଡ଼ିଶା ମେକ-ଇନ ଓଡ଼ିଶା କନକ୍ଲେଭ ଆଶାଠାରୁ ଅନେକ ଗୁଣରେ ସଫଳତା ପାଇଛି। ପ୍ରାୟ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା। ସେଥିମଧ୍ୟରୁ ୧୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ପାଇଁ MoU ସ୍ୱାକ୍ଷରିତ ହୋଇଛି ଏବଂ ଏହାଦ୍ୱାରା ୧୩ ଲକ୍ଷ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହୋଇଛି।

ବିନା ଭିତ୍ତିଭୂମିରେ ଶିଳ୍ପ ବିକାଶର ପରିକଳ୍ପନା କରାଯାଇପାରିବ ନାହିଁ। ସେଥିପାଇଁ ରାଜ୍ୟ ସରକାର ନୂତନ ସଡ଼କ ନୀତି ପ୍ରସ୍ତୁତ କରିବା ସହିତ ଓଡ଼ିଶା ରାଜପଥ ପ୍ରାଧିକରଣ ଗଠନ କରିବା ପାଇଁ ଯାଉଛନ୍ତି । ଓଡ଼ିଶା ରାଜପଥ ପ୍ରାଧିକରଣ ବିଲ୍‍ ବିଧାନସଭାରେ ପାରିତ ହୋଇଛି। ଖୁବ୍‍ ଶୀଘ୍ର ଗଠନ ହେବ। ଶିଳ୍ପାୟନର ସୁବିଧା ପାଇଁ ଆସନ୍ତା ୫ ବର୍ଷରେ ୭୫ ହଜାର କିଲୋମିଟର ବିଶ୍ୱସ୍ତରୀୟ ସଡ଼କ ନିର୍ମାଣ ପାଇଁ ଆମର ଲକ୍ଷ୍ୟ ରହିଛି।

ଆଜି ଉଦ୍‍ଘାଟିତ ହୋଇଥିବା ବରୁଣ ବେଭରେଜ ପ୍ଲାଣ୍ଟରେ ବହୁସଂଖ୍ୟକ ଓଡ଼ିଆ ଯୁବକଙ୍କ ନିଯୁକ୍ତିକୁ ନେଇ ଖୁସିବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମେ ଓଡ଼ିଶାକୁ ଦେଶର ଏକ ମାନୁଫାକ୍ଚରିଙ୍ଗ ହବ୍‍ କରିବାକୁ ଯାଉଛୁ। ଆପଣମାନେ ଆଉ ବାହାରକୁ ନ ଯାଇ ଏଠାରେ ସମସ୍ତେ ନିଯୁକ୍ତି ପାଇବେ। କେବଳ ନିଯୁକ୍ତି ନୁହେଁ, ଆପଣମାନଙ୍କ ଜୀବନର ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ ଆମେ ବିଭିନ୍ନ ଶ୍ରମିକ କଲ୍ୟାଣ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛୁ। ଶିଳ୍ପାଞ୍ଚଳରେ ଦିନ୍‍ ଦୟାଲ କର୍ମଚାରୀ ନିବାସ ଯୋଜନାରେ ଘର ଯୋଗାଇ ଦେବାପାଇଁ ବ୍ୟବସ୍ଥା କରାଯାଉଛି।

 

Har Ghar Tiranga
Leave A Reply

Your email address will not be published.