ମୁମ୍ବାଇ : ଆଉ ନାହାନ୍ତି ହିନ୍ଦୀ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ମନୋଜ କୁମାର । ୮୭ ବର୍ଷ ବୟସରେ ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମନୋଜ କୁମାର । ଏହି ମହାନ ଅଭିନେତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିବା ସହିତ ମନୋଜଙ୍କ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ମନୋଜଙ୍କ ଦେହାନ୍ତରେ ମୁଁ ଦୁଃଖିତ । ଭାରତୀୟ ସିନେମାର ଆଇକନ, ଦେଶାତ୍ମକ ଚିନ୍ତାଧାରା ପାଇଁ ସେ ପରିଚିତ ଥିଲେ । ତାଙ୍କ କାର୍ଯ୍ୟ ଜାତୀୟ ଭାବନାକୁ ପ୍ରଜ୍ବଳିତ କରିଥିଲା ଏବଂ ସର୍ବଦା ପ୍ରେରଣା ଦେବ । ଏଥିସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ବଲିଉଡ ଅଭିନେତା ମନୋଜ କୁମାରଙ୍କ ପରଲୋକରେ ଗଭୀର ମର୍ମାହତ ବୋଲି ଲେଖି ଶୋକ ପ୍ରକାଶ କରିଛନ୍ତି । ସିନେମାରେ ତାଙ୍କ ଅବଦାନକୁ ଭାରତ କୁମାର ଭାବେ ତାଙ୍କର ପ୍ରଶଂସକମାନେ ସ୍ମରଣ କରିବେ । ଏହା ସହିତ ମନୋଜଙ୍କ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଭାରତୀୟ ସିନେମାରେ ତାଙ୍କର ଅବଦାନ, ବିଶେଷକରି ଦେଶପ୍ରେମକୁ ପ୍ରେରଣା ଦେବାରେ ତାଙ୍କର ଅବଦାନକୁ ‘ଭାରତ କୁମାର’ ଭାବରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଚୀର ସ୍ମରଣୀୟ ହୋଇ ରହିବେ । ତାଙ୍କ ପରିବାର ଏବଂ ପ୍ରଶଂସକମାନଙ୍କ ପ୍ରତି ମୋର ଗଭୀର ସମବେଦନା । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।
କିମ୍ବଦନ୍ତୀ ଅଭିନେତା ତଥା ନିର୍ଦେଶକ ମନୋଜ କୁମାରଙ୍କ ନିଜ ନାଁ ହରି କିଷନ ଗିରି ଗୋସ୍ୱାମୀ । ସେ ୨୪ ଜୁଲାଇ ୧୯୩୭ରେ ପୂର୍ବ ଜାଲିୱାନା (ବର୍ତ୍ତମାନ ଏହା ପାକିସ୍ଥାନରେ) ରେ ଏକ ପଞ୍ଜାବୀ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତେବେ ବିଭାଜନ ପରେ ତାଙ୍କ ପରିବାର ଦିଲ୍ଲୀ ଚାଲି ଆସିଥିଲେ I ସେତେବେଳକୁ ମନୋଜଙ୍କ ବୟସ ୧୦ ବର୍ଷ ହୋଇଥିଲା ଇ ୧୯୫୭ ମସିହାରେ ଫିଲ୍ମ ‘ଫ୍ୟାସନ’ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିଲେ । ୧୯୬୫ରେ ‘ସହିଦ’ ଫିଲ୍ମ ତାଙ୍କୁ ନୂଆ ପରିଚୟ ଦେଇଥିଲା । ଏହାପରେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ଅଭିନୟ କରିଥିଲେ । ୧୯୮୧ର କ୍ରାନ୍ତି ଥିଲା ଭାରତୀୟ ସିନେମା ଜଗତର ଅନ୍ୟଏକ ମାଇଲଖୁଣ୍ଟ । ପଥର୍ ସେ ସନମ୍, ଉପକାର୍., ସୋର୍, ସନ୍ୟାସୀ, ରୋଟି କପଡା ଅର୍ ମକାନ ଭଳି ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କ ବଳିଷ୍ଠ ଅଭିନୟ ପାଇଁ ୧୯୯୨ ପଦ୍ମଶ୍ରୀ ଓ ୨୦୧୫ରେ ଦାଦାସାହେବ ଫାଲକେ ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ୭ଥର ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ପାଇଛନ୍ତି । ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।