ପିସିଆରକୁ ପିଟିଲା ହାଇୱା :୨ ପୋଲିସ କର୍ମଚାରୀ ମୃତ

ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା

0

କଟକ : ବାଲି ବୋଝେଇ ହାଇୱା ଧକ୍କାରେ ପିସିଆର ଭ୍ୟାନ ଚୁରମାର,୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ମାନଙ୍କ ମଧ୍ୟରେ ଜଣେ ହୋମଗାର୍ଡ ଜଗବନ୍ଧୁ ମାହାଲି ଏବଂ ଅନ୍ୟ ଜଣେ ଏପିଆଇ ପୋଲିସ କର୍ମଚାରୀ ଲୋକନାଥ ଶବର ରହିଛନ୍ତି । ଗୁରୁତର ଆହତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାପରେ ହାଇୱା ଚାଲାକ ଘଟଣାସ୍ଥଳରୁ ଚମ୍ପଟ ମାରିଥିବାବେଳେ ତାଙ୍କୁ କଟକ ଷ୍ଟେସନରୁ ଧରିଛି ପୋଲିସ । ଦୁର୍ଘଟଣା ଖବର ପାଇ ବରିଷ୍ଠ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି। ପିସିଆର ଟି CRRI ଥାନାର ବୋଲି ଜଣାପଡ଼ିଛି।

ଘଟନାନୁସାରେ, ଆଜି ଭୋର ସମୟରେ ମହାନଦୀ ବନ୍ଧ ରାସ୍ତାରେ ଏକ ବାଲି ବୋଝେଇ ହାଇୱା ପିସିଆର୍ ଭ୍ୟାନ୍‌କୁ ଧକ୍କା ଦେଇଥିଲା। ଫଳରେ ପୋଲିସ ଗାଡିଟି ରାସ୍ତା ତଳକୁ ଓଲଟି ପଡିବା ପରେ ତା’ଉପରେ ବଳି ବୋଝେଇ ହାଇୱା ଚଢ଼ିଯାଇଥିଲା । ଘଟଣାସ୍ଥଳରେ ଡ଼ିଉଟିରେ ଥିବା ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ କଟକ ଷ୍ଟେସନରୁ ଧରିବା ପୋଲିସ ସଫଳ ହୋଇଛି। ହାଇୱା ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି।

କଟକରେ ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ ସହ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି ।

କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ସଡ଼କ ଦୁର୍ଘଟଣାରେ କର୍ତ୍ତବ୍ୟରତ ୨ଜଣ ପୋଲିସ କର୍ମଚାରୀ ଜଣେ ଓଏପିଏଫ୍‌ କନଷ୍ଟେବଲ ଏବଂ ଜଣେ ହୋମ୍‌ଗାର୍ଡ ପ୍ରାଣ ହରାଇଥିବା ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଉଭୟ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.