ବିଜେଡି ଦଳକୁ ବୁଡା଼ଇବେ କିଛି ନେତା – ଅମରେଶ

0

ଭୁବନେଶ୍ୱର : ଥମୁନାହିଁ ବିଜେଡି ଦଳୀୟ କନ୍ଦଳ । ଦଳରେ ସୃଷ୍ଟି ହୋଇଛି ଭିନ୍ନ ଗୋଷ୍ଠୀ । ନିଜ ନିଜ ଭିତରେ ଜାରି ରହିଛି ବୟାନବାଜି । ଦଳୀୟ ଫାଟ ଜଳ ଜଳ ହୋଇ ଦିଶିବା ସହ ଗୋଷ୍ଠୀ କନ୍ଦଳ ହାଟରେ ପଡି ଦାଣ୍ଡରେ ଗଡ଼ିଲାଣି । ନେତାଙ୍କ ତୁଣ୍ଡରେ ନାହିଁ ଲଗାମ । କେତେବେଳେ ପାଣ୍ଡିଆନ ସପକ୍ଷବାଦୀ-ବିପକ୍ଷବାଦୀ ମୁହାଁମୁହଁ ତ ଆଉ କେତେବେଳେ ବରିଷ୍ଠ-କନିଷ୍ଠଙ୍କ ମଧ୍ୟରେ ବିବାଦ । ଏହାରି ମଧ୍ୟରେ ପୁଣି ଏକ ବିବାଦ ମୁଣ୍ଡ ଟେକିଛି । ଯୁବ ନେତାଙ୍କୁ ଅଣଦେଖା କରାଯାଉଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଯୁବ ବିଜେଡି ନେତା ଅମରେଶ ଜେନା । ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରୁ କର୍ପୋରେଟର୍ ଅମରେଶ ଜେନାଙ୍କୁ ବାଦ ଦିଆଯିବା ପରେ ସୃଷ୍ଟି ହୋଇଛି ବିଶୃଙ୍ଖଳା ।

ଆଜି ଖୋଲାଖୋଲି ଭାବେ ବିଜେଡି ଯୁବ କର୍ପୋରେଟର ଅମରେଶ ୫ ବରିଷ୍ଠ ନେତାଙ୍କ ଆଡକୁ ଆଙ୍ଗୁଳି ନିର୍ଦେଶ କରିଛନ୍ତି । ନାଁ ନନେଇ ସେ କହିଛନ୍ତି ୫ ନେତା ଦଳକୁ ବୁଡା଼ଇବେ । ପାଣ୍ଡିଆନଙ୍କ ସ୍ଥାନ ନେବାକୁ ଏହି ୫ ଜଣ ପାଣିକୁ ଗୋଳିଆ କରୁଛନ୍ତି । ଏମାନେ ସେତେବେଳେ ପ୍ୟାରୀଙ୍କ ସହ ଥିଲେ ଆଉ ଏବେ ନବୀନଙ୍କ ନିକଟତର ଅଛନ୍ତି ।

ଷଡ଼ଯନ୍ତ୍ରକାରୀଙ୍କ ହାତରେ ଏବେ ପରିଚାଳିତ ହେଉଛି ବିଜେଡି । ଏମାନେ ଦଳକୁ ବଙ୍ଗୋପସାଗରରେ ବୁଡା଼ଇଦେବେ । ଯେହେତୁ ପାଣ୍ଡିଆନ ନାହାନ୍ତି ଏମାନଙ୍କ ଅହଂକାର ବଢିଯାଇଛି । ନିଜ ଏରିଆ ଛାଡି ବାହାର ଜିଲ୍ଲାରେ ମୁଣ୍ଡ ପୂ ରଉଛନ୍ତି । ଏମାନଙ୍କ ଅହଂକାର ଯୋଗୁ ୨୪ ବର୍ଷର ଦଳ ନିର୍ବାଚନ ହାରିଲା । ଏମାନେ ମୂଷା ହୋଇ ଦଳର ଚେର କାଟୁଛନ୍ତି ।

ଦଳ ପରିଚାଳନା ଠିକ୍ ଭାବରେ ହେଉ ନ ଥିବା ନେଇ ଗଣମାଧ୍ୟମରେ ମତ ରଖିଛନ୍ତି ଅମରେଶ । ଦଳ ପାଇଁ ଯେଉଁମାନେ କାମ କରୁଛନ୍ତି ସେମାନଙ୍କୁ ଅଣାଦେଖା କରାଯାଉଛି । ଯେଉଁ ୪ରୁ ୫ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି ସେମାନେ ନିରପେକ୍ଷ ନୁହଁନ୍ତି । ସେମାନେ ନିଜକୁ ତର୍ଜମା ନ କରି ଅନ୍ୟ ଉପରେ ଦୋଷ ଲଦୁଛନ୍ତି । ଏଥିପାଇଁ ବିଦ୍ରୋହ ହେବ ଏବଂ ସଠିକ୍ ସମୟରେ ସେମାନଙ୍କର କଳା ଚିଠା ଖୋଲା ଯିବ ବୋଲି ଚେତାବନୀ ଦେଇଛନ୍ତି ଅମରେଶ । ସେହିପରି ଅମରେଶଙ୍କ ପରେ ବିଜେଡି ଉପରେ ବର୍ଷିଛନ୍ତି ଯୁବ ନେତା ବିରଞ୍ଚି ମହ।ସୂପକାର ।

ସୂଚନାନୁସାରେ,ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରୁ କର୍ପୋରେଟର୍ ଅମରେଶଙ୍କୁ ବାଦ ଦିଆଯିବା ପରେ ତାଙ୍କ ସମର୍ଥକମାନେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କୁ ଦାୟୀ କରିଛନ୍ତି । ଗତକାଲି ରାତିରେ ଅମରେଶଙ୍କ ସମର୍ଥକମାନେ ସଞ୍ଜୟଙ୍କ ଖାରବେଳନଗରସ୍ଥିତ ବାସଭବନ ସମ୍ମୁଖରେ ହୋହଲ୍ଲା କରିଥିବା ଜଣାପଡ଼ିଛି । ଅନ୍ୟପଟେ ବିଜେଡିରେ କୌଣସି ଅନ୍ତର୍ଦ୍ୱନ୍ଦ ନାହିଁ ବୋଲି ସଫେଇ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ।

Leave A Reply

Your email address will not be published.