ନୂଆଦିଲ୍ଲୀ: ଜମ୍ମୁ -କାଶ୍ମୀରର ପହଲଗାମରେ ହିନ୍ଦୁ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ନୃଶଂସ ଆକ୍ରମଣ ଘଟଣାରେ ବିଶ୍ବର ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ତୀବ୍ର ଉଦ୍ବେଗ ପ୍ରକାଶ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆତଙ୍କବାଦୀମାନଙ୍କ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। କାଶ୍ମୀରର ଖବର ତାଙ୍କୁ ବ୍ୟଥିତ କରିଥିବା କହିଛନ୍ତି। ଆତଙ୍କବାଦ ବିରୋଧରେ ଆମେରିକା ଭାରତ ସହିତ ଦୃଢ଼ ଭାବେ ଛିଡ଼ା ହୋଇଛି। ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଆତ୍ମାର ସଦ୍ଗତି ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ ପାଇଁ ସେ ପ୍ରାର୍ଥନା କରିଛନ୍ତି। ଭାରତର ଲୋକମାନଙ୍କ ପ୍ରତି ତାଙ୍କର ପୂର୍ଣ୍ଣ ସମର୍ଥନ ଏବଂ ଗଭୀର ଅନୁକମ୍ପା ରହିଛି ବୋଲି ଟ୍ରମ୍ପ କହିଛନ୍ତି।
ସେହିଭଳି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମବେଦନା ଜଣାଇଛନ୍ତି। କାରଣ ଯାହା ହୋଇ ଥାଉ ନା କାହିଁକି ଜଘନ୍ୟ ଅପରାଧର ଆଦୌଁ ଯଥାର୍ଥତା ନାହିଁ। ଦୋଷୀମାନଙ୍କୁ ଯଥାର୍ଥ ଦଣ୍ଡ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ପହଲଗାମ ଆତଙ୍କବାଦୀ ଘଟଣାରେ ସେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ସମବେଦନା ଜଣାଇଛନ୍ତି। ଏଥିସହିତ ଯେକୌଣସି ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତକୁ ସହଯୋଗ କରିବା ପାଇଁ ସେ ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଆକ୍ରମଣରେ ମୃତବ୍ୟକ୍ତିଙ୍କ ଆତ୍ମୀୟସ୍ବଜନଙ୍କ ପ୍ରତି ସମବେଦନା ଜଣାଇବା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ମଧ୍ୟ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଶୋକବ୍ୟକ୍ତ କରିଛନ୍ତି। ମୃତାହତଙ୍କ ପରିବାର ଓ ଭାରତ ପ୍ରତି ସେ ଏଭଳି ସମୟରେ ସମବେଦନା ଜଣାଇଛନ୍ତି। ଭାରତଗସ୍ତରେ ଥିବା ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ତାଙ୍କର ଭାରତୀୟ ବଂଶୋଦ୍ଭବ ପତ୍ନୀ ଉଷା ଭାନ୍ସ ମଧ୍ୟ ଏହି ଘଟଣାରେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ଜେଡି ଭାନ୍ସ ଲେଖିଛନ୍ତି, ପହଲଗାମ୍ରେ ଆତଙ୍କବାଦୀ ଆକ୍ରମଣରେ ପୀଡ଼ିତଙ୍କ ପାଇଁ ଉଷା ଓ ସେ ସମବେଦନା ଜଣାଉଛନ୍ତି। ଇସ୍ରାଏଲ ମଧ୍ୟ ଏହି ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଗଭୀର ଦୁଃଖ ବ୍ୟକ୍ତ କରିଛି। ଆତଙ୍କବାଦ ବିରୋଧୀ ଲଢ଼େଇରେ ଇସ୍ରାଏଲ ଭାରତ ସହିତ ରହିଛି ବୋଲି ଭାରତରେ ଅବସ୍ଥିତ ଇସ୍ରାଏଲ ଦୂତାବାସର ପ୍ରବକ୍ତା ଗାଏ ନିର୍ କହିଛନ୍ତି।