କଟକ/ଭଦ୍ରକ : ଗାଧୋଇବାବେଳେ ପାଣିରେ ବୁଡ଼ିଯାଇ ୪ ଜଣଙ୍କ ମୃତ୍ୟୁ । ପ୍ରଥମେ ମହାନଦୀରେ ବୁଡ଼ିଯାଇ ୨ ନାବାଳକ ନିଖୋଜ ରହିଥିଲେ । ଯୋବ୍ରା ଆନିକଟ ନିକଟରେ ବୁଡ଼ିଯାଇଛନ୍ତି ୨ ନାବାଳକ । ତେବେ ପରେ ଉଭୟଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ଆଜି ପ୍ରାୟ ଦିନ ୨ଟା ସମୟରେ ଜୋବ୍ରା ଅଞ୍ଚଳର ୬ ଜଣ ପିଲା ନଦୀକୁ ଗାଧୋଇବାକୁ ଆସିଥିବାବେଳେ ତିନି ଜଣ ବୁଡ଼ି ଯାଇଥିଲେ । ଏମାନଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଥିବାବେଳେ ଆଉ ୨ ଜଣ ନିଖୋଜ ହୋଇଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ,ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରୁ ଜଣେ ନାବାଳକ ହୋଇଥିବାବେଳେ ଜଣେ ସାବାଳକ । ତେବେ ନଦୀରେ ଗାଧୋଇବାକୁ ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ ।
ସେହିପରି ଆଜି ପୋଖରୀରେ ବୁଡିଯାଇ ୨ ଭଉଣୀଙ୍କର ମୃତ୍ୟୁ ଘଟିଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ସାନକୃଷ୍ଣ ପୁର ପଂଚାୟତ ଚାନ୍ଦିମାଳ ଗ୍ରାମରେ ଏହି ଅଘଟଣ ଘଟିଛି । ମୃତ ଦୁଇଭଉଣୀ ହେଲେ ଗ୍ରାମର ବସନ୍ତ ମଳିକଙ୍କ ଦୁଇ ଝିଅ ମୃତ ।
ଆଜି ସକାଳେ ଦୁଇ ଭଉଣୀ ଜେଜେମା ସହିତ ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ଜେଜେମା ଗାଧୋଇ ସାରି ଘରକୁ ଚାଲି ଆସିଥିଲେ । ହେଲେ ଦୁଇ ଝିଅ ନଫେରିବାରୁ ପରିବାର ଲୋକେ ଆସି ଖୋଜିଥିଲେ । ପରେ ପରିବାର ଲୋକେ ଉଭୟଙ୍କୁ ସଂଜ୍ଞହୀନ ଅବସ୍ଥାରେ ପାଇ ତୁରନ୍ତ ବାସୁଦେବପୁର ଡାକ୍ତରଖାନା ନେଇଆସିଥିଲେ । ହେଲେ ଡାକ୍ତର ଏଠାରେ ମୃତ ଘୋଷଣା କରିଥିଲେ। ୨ ଭଉଣୀଙ୍କ ଏଭଳି ଆକସ୍ମିକ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।