ପୁରୀ : ବଣ୍ଟନ ହେଲା ନୂଆ ରାସନ କାର୍ଡ I ଆଜି ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୬ ଲକ୍ଷ ରାସନ କାର୍ଡ ବାଣ୍ଟିଛନ୍ତି। ସେହିପରି ସୁଭଦ୍ରା ଯୋଜନାରେ ବଳକା ହିତାଧିକାରୀଙ୍କୁ ଅର୍ଥରାଶି ପ୍ରଦାନ କରିଛନ୍ତି। ୨ ଲକ୍ଷରୁ ଅଧିକ ନୂତନ ସୁଭଦ୍ରା ହିତାଧିକାରୀଙ୍କୁ ୯୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାତ୍ମା ଗାନ୍ଧୀ କହୁଥିଲେ, ‘ଭାରତ ଗ୍ରାମରେ ବାସ କରେ’। ଏଥିରେ କୌଣସି ଦ୍ଵିମତ ନାହିଁ।
ଦେଶର ସମୁଦାୟ ଜନସଂଖ୍ୟାର ପ୍ରାୟ ୬୯ ପ୍ରତିଶତ ଗ୍ରାମରେ ବାସ କରନ୍ତି। ଓଡ଼ିଶାର ୮୩ ପ୍ରତିଶତ ଲୋକେ ଗ୍ରାମରେ ବାସ କରନ୍ତି । ତେଣୁ, ଯେତେଦିନ ପର୍ଯ୍ୟନ୍ତ ଗ୍ରାମର ବିକାଶ ହୋଇ ପାରିବ ନାହିଁ, ସେତେଦିନ ପର୍ଯ୍ୟନ୍ତ ଦେଶର ବିକାଶ ଅସମ୍ଭବ।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଳିଷ୍ଠ ଓ ଦୂରଦର୍ଶୀ ନେତୃତ୍ୱରେ ବିକଶିତ ଭାରତବର୍ଷ ଗଠନ ପାଇଁ ଭାରତ ସରକାର ନିରନ୍ତର ଓ ନିଷ୍ଠାପର ଉଦ୍ୟମ ଜାରି ରହିଛି । ପୂର୍ବୋଦୟରୁ ସୂର୍ଯ୍ୟୋଦୟ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ସାକାର କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଏଥି ନିମନ୍ତେ ରାଜ୍ୟ ସରକାର ସଶକ୍ତ ନାରୀଙ୍କ ପାଇଁ ସୁଭଦ୍ରା, ଲକ୍ଷପତି ଦିଦି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ, ଶିକ୍ଷାର ଉନ୍ନତି ପାଇଁ ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା, ସୁସ୍ଥ ଓଡ଼ିଶା ନିମନ୍ତେ ଆୟୁଷ୍ମାନ ଭାରତ ଭଳି ଯୋଜନା ଲାଗୁ କରିବା ସହ ଉନ୍ନତ କୃଷି ଓ ସମର୍ଥ ଚାଷୀ ନିମନ୍ତେ ସମୃଦ୍ଧ କୃଷକ ଯୋଜନା ଭଳି ଅନେକ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିଭଳି ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ଅନୁଦାନରେ ୬୧୩ଟି ଗ୍ରାମ ପଞ୍ଚାୟତକୁ କାର୍ଯ୍ୟଦକ୍ଷତାରେ ଶ୍ରେଷ୍ଠତା ପ୍ରତିପାଦନ, ନିଜସ୍ଵ ଆୟ ବୃଦ୍ଧି ତଥା ପଞ୍ଚାୟତ ସର୍ବାଙ୍ଗୀନ ବିକାଶରେ ନିରନ୍ତର ପ୍ରୟାସ ନିମନ୍ତେ ୩୨ କୋଟି ଟଙ୍କା ପ୍ରୋତ୍ସାହନ ରାଶି ବଣ୍ଟନ କରାଯାଇଛି।