ଭୁବନେଶ୍ୱର:ଆମ ଦେଶର ସମୁଦାୟ ଜନସଂଖ୍ୟାର ପ୍ରାୟ ୬୯ ପ୍ରତିଶତ ଗ୍ରାମାଞ୍ଚଳରେ ବସବାସ କରନ୍ତି। ଓଡ଼ିଶାରେ ୮୩ ପ୍ରତିଶତ ଲୋକ ଗାଁରେ ବସବାସ କରନ୍ତି। ତେଣୁ ଯେତେଦିନ ପର୍ଯ୍ୟନ୍ତ ଗ୍ରାମାଞ୍ଚଳର ବିକାଶ ହୋଇପାରିବ ନାହିଁ ସେତେଦିନ ପର୍ଯ୍ୟନ୍ତ ରାଜ୍ୟ ତଥା ଦେଶର ବିକାଶ ଅସମ୍ଭବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଠାରେ ଆୟୋଜିତ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ କହିଛନ୍ତି।ମୁଖ୍ୟମନ୍ତ୍ରୀ ପ୍ରଥମେ କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ହୋଇଥିବା ପର୍ଯ୍ୟଟକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ଶାସନ ବ୍ୟବସ୍ଥାର ମୂଳ କେନ୍ଦ୍ର ହେଉଛି ପଞ୍ଚାୟତିରାଜ ବ୍ୟବସ୍ଥା। ୧୯୯୩ ମସିହା ଅପ୍ରିଲ ୨୪ ତାରିଖ ଦିନ ୭୩ତମ ସମ୍ବିଧାନ ସଂଶୋଧନ ବିଲ୍ ପାରିତ ହୋଇ ପଞ୍ଚାୟତିରାଜ ବ୍ୟବସ୍ଥାର ବୈପବ୍ଳିକ ପରିବର୍ତ୍ତନ ଅଣାଯାଇଥିଲା । ଶାସନ ପ୍ରଶାସନରେ ଜନମତର ପ୍ରାଧାନ୍ୟକୁ ସମ୍ମାନ ଦେବା ପାଇଁ ଆମେ ଏହି ଦିବସଟିକୁ ପାଳନ କରୁଛୁ। ଗ୍ରାମାଞ୍ଚଳ ବିକାଶ ପ୍ରକ୍ରିୟାରେ ଜନସହଭାଗିତା ବୃଦ୍ଧି ନିମନ୍ତେ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତିକୁ ଭାରତ ସରକାର ଅଗ୍ରାଧିକାର ଦେଉଛନ୍ତି। ଆମ ରାଜ୍ୟରେ ଲୋକମାନଙ୍କ ମୌଳିକ ସମସ୍ୟା ଦୂର କରିବା ଦିଗରେ ପଞ୍ଚାୟତିରାଜ ବ୍ୟବସ୍ଥା ଦୃଢତାର ସହ କାମ କରୁଛି। ଗତ ୩ ବର୍ଷ ଧରି ଆମ ରାଜ୍ୟର ଅନେକ ଗ୍ରାମ ପଞ୍ଚାୟତ ସର୍ବ ଭାରତୀୟ ସ୍ତରରେ ପ୍ରଶଂସିତ ହୋଇ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ।
ଆଜି ପଞ୍ଚାୟତିରାଜ ଶାସନ ବ୍ୟବସ୍ଥାରେ ୫୦ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି । ଓଡ଼ିଶା ମାଟି ନାରୀମାନଙ୍କ ସାମଗ୍ରିକ ବିକାଶର ସ୍ୱପ୍ନ ସାକାର କରିବା ଲକ୍ଷ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରକୃତ ପ୍ରୟୋଗଶାଳା ଅଟେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।