ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଅଧିବେଶନରେ ପହଲଗାଓଁ ଆକ୍ରମଣ ପ୍ରସଙ୍ଗ ଆଲୋଚନା କରାଯାଇଛି। ମୃତକଙ୍କ ଅମର ଆତ୍ମାର ସଦଗତି ଲାଗି ନୀରବ ପ୍ରାର୍ଥନା କରାଯାଇଛି। ଆତଙ୍କବାଦ ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି। ଗୃହରେ ବିଭିନ୍ନ ଦଳର ନେତାମାନେ ଆତଙ୍କବାଦ ହମଲା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅଧିବେଶନ କାଳରେ ଅନ୍ୟ କୌଣସି ପ୍ରସଙ୍ଗ ଆଲୋଚନା ହୋଇ ନାହିଁ। ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ଆଇନ ୨୦୧୫ ଅନୁସାରେ ଏହି ଅଧିବେଶନ ଡକାଯାଇଛି।
ଏହି ସ୍ୱତନ୍ତ୍ର ଅଧିବେଶନରେ ବାଚସ୍ପତି ଅବଦୁଲ ରହିମ ରାଥର ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ନିରୀହ ପର୍ଯ୍ୟଟକଙ୍କ ହତ୍ୟାକୁ ନିନ୍ଦା କରିଥିଲେ। ଆମେ ପୀଡିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛୁ ଏବଂ ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ଆମର ସମବେଦନା ଜଣାଉଛୁ ବୋଲି ହିଥିଲେ। ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ବର୍ବର ଏବଂ ଅମାନବୀୟ ଆକ୍ରମଣରେ ଗଭୀର ମର୍ମାହତ ଏବଂ ଦୁଃଖ ପ୍ରକାଶ କରି ସରକାରଙ୍କ ପକ୍ଷରୁ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। କ୍ୟାବିନେଟର ଅନୁରୋଧ କ୍ରମେ ଅଧିବେଶନ ଆହୂତ କରିଥିଲେ ଏଲଜି।
ପହଲଗାଓଁ ହମଲାରେ ୨୬ ଜଣଙ୍କ ମୃତ୍ୟୁ ଘଟିବା ପରେ ସାରା ଜାମ୍ମୁ – କାଶ୍ମୀରରେ କ୍ଷୋଭ ପ୍ରକାଶ ପାଇବା ସହ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଗତ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ସ୍ବତନ୍ତ୍ର ଅଧିବେଶନ ଡାକିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଗତ ଏପ୍ରିଲ ୯ରେ ବିଧାନସଭାର ବଜେଟ ଅଧିବେଶନକୁ ସାଇନଡାଏ ଘୋଷଣା କରାଯାଇଥିଲା।