ପଛୁଆ ବର୍ଗଙ୍କୁ ଅବହେଳା କରିଛନ୍ତି ବିଜେଡି-କଂଗ୍ରେସ : ମନମୋହନ

0

ଭୁବନେଶ୍ୱର : ପଛୁଆ ବର୍ଗଙ୍କୁ ଅବହେଳା କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଉଭୟ ଦଳକୁ ଟାର୍ଗେଟ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ୨୦୨୪ ସଂକଳ୍ପ ପତ୍ରରେ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ତାହାକୁ ପୂରଣ କରିବା ପ୍ରକ୍ରିୟା ଜାରି ରହିଛି । ରାଜ୍ୟ ସରକାର ପଛୁଆ ବର୍ଗଙ୍କୁ ଅଗ୍ରାଧିକାର ଦେଇଛନ୍ତି । ଯେଉଁଥିପାଇଁ ଉଚ୍ଚ ଶିକ୍ଷା ପାଠ୍ୟକ୍ରମରେ ନାମ ଲେଖାରେ ପଛୁଆ ବର୍ଗଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେଇଛନ୍ତି । ମେଡ଼ିକାଲ, ବୈଷୟିକ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଲାଗୁ କରିବାକୁ ମଧ୍ୟ ବିଚାର ବିମର୍ଶ ଚାଲିଛି । ପୂର୍ବ ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ । ଦୀର୍ଘ ସମୟ ଧରି ସରକାରରେ ଥିଲେ ମଧ୍ୟ ଏହା କରିପାରିଲେ ନାହିଁ ।

ମଙ୍ଗଳବାର ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମନମୋହନ ସାମଲ କହିଛନ୍ତି ଉଭୟ ବିଜେଡି -କଂଗ୍ରେସ ସରକାରରେ ଥିଲେ ମଧ୍ୟ ଓବିସିଙ୍କୁ ଅବହେଳା କରିଛନ୍ତି । ମଣ୍ଡଳ କମିଶନ୍‍ ସପକ୍ଷରେ ବିଜେପି ସର୍ବଦା ରହିଥିଲା ଏବଂ ରହିବ ମଧ୍ୟ । ଯେଉଁମାନେ ବିରୋଧ କରୁଥିଲେ ସେମାନେ ନିଜର ଚେହେରାକୁ ଆଇନାରେ ଦେଖିବା ଉଚିତ । ସେମାନଙ୍କର ନୈତିକ ସାହସ କେଉଁଠୁ ଆସିଲା ? ବିଜେଡ଼ି ଓ କଂଗ୍ରେସ ସରକାର ଆସିଛି ଯାଇଛି କିନ୍ତୁ କେହି ସଂରକ୍ଷଣ ଲାଗୁ କରି ପାରିଲେ ନାହିଁ । ସଂକଳ୍ପ ପତ୍ରରେ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ତାହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂରଣ କରିଥିବାରୁ ବିଜେପି ରାଜ୍ୟ ସଭାପତି ଧନ୍ୟବାଦ ଜଣାଇଛନ୍ତି ।

ଅନ୍ୟପଟେ ବିଜେଡି ନେତା ଅରୁଣ ସାହୁ ଏହାର ଜବାବ ଦେଇ କହିଛନ୍ତି ଯେ ବିଜେପି ଚାପର ବଶବର୍ତ୍ତୀ ହୋଇ ଜାତିଭିତ୍ତିକ ଜନଗଣନା ପାଇଁ ଆଗଭର ହୋଇଛି । କେବଳ ଉଚ୍ଚଶିକ୍ଷାରେ ଓବିସି ସଂରକ୍ଷଣ କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ସିଟ୍‍ ଖାଲି ପଡୁଥିବା ବେଳେ ସଂରକ୍ଷଣ କଥା କହୁଛନ୍ତି ।

Leave A Reply

Your email address will not be published.