ଛତିଶଗଡ଼ : ଭୁଶୁଡ଼ୁଛି ଲାଲଗଡ଼। ମାଓବାଦୀଙ୍କୁ ମୂଳପୋଛ କରିବାକୁ ଅଣ୍ଟା ଭିଡିଛନ୍ତି ସୁରକ୍ଷାବାହିନୀ । ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ମାଓ ଦମନ ଅପରେସନ୍ । ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନରେ୨୬ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ମୃତ ନକ୍ସଲଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି କୁହାଯାଉଛି । ବର୍ତ୍ତମାନ ମଧ୍ୟ ନାରାୟଣପୁର, ବୀଜାପୁର ଓ ଦନ୍ତେୱାଡାରେ ଡିଆରଜିର ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଉକ୍ତ ଅଞ୍ଚଳରେ ନକ୍ସଲ ଥିବା ନେଇ ସୂଚନା ମିଳିବା ପରେ ଯବାନ ତଲାସି ଅଭିଯାନ ଆରମ୍ଭ କରିଥିଲେ । ନାରାୟଣପୁର, ଦାନ୍ତେୱାଡା, ବିଜାପୁର ଏବଂ କୋଣ୍ଡାଗାଓଁର ଡିଆରଜିର ଯବାନମାନେ ନକ୍ସଲ କମାଣ୍ଡରମାନଙ୍କୁ ଘେରି ଯାଇଛନ୍ତି। ଉଭୟ ପାର୍ଶ୍ୱରୁ ଗୁଳିଚାଳନା ଜାରି ରହିଛି।
ପ୍ରାପ୍ତ ସୂଚନାନୁସାରେ ଦୁର୍ଦ୍ଦାନ୍ତ ମାଓ ନେତା ବାସବରାଜ ପୋଲିସ ଗୁଳିରେ ପ୍ରାଣ ହରାଇଛି । ସେ ୨୦୧୮ ରୁ ସେଣ୍ଟ୍ରାଲ ମାଓ କମିଟିର ମୁଖିଆ ଥିଲା । ତା’ମୁଣ୍ଡ ଉପରେ କୋଟିଏ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ତେବେ ଏହି ଏନକାଉଣ୍ଟର ରେ ଜଣେ ଯବାନ ମଧ୍ୟ ସହିଦ ହୋଇଥିବା ସୂଚନା ମିଳିଛି ।
ଆସନ୍ତା ବର୍ଷ ସୁଦ୍ଧା ଦେଶରୁ ନକ୍ସଲବାଦ ମୂଳପୋଛ ପାଇଁ ସରକାରଙ୍କ ଟାର୍ଗେଟ୍କୁ ପୂରା କରିବାକୁ ସୁରକ୍ଷାବାହିନୀ ଜୋରସୋର ଚଳାଇଛି ମାଓଦମନ ଅପରେସନ । ଯାହାର ନାଁ ରହିଛି ଅପରେସନ ‘କାଗାର’ । ଛତିଶଗଡ଼-ଓଡ଼ିଶା-ତେଲେଙ୍ଗାନା ଆଦି ରାଜ୍ୟମାନଙ୍କରେ ଲୁଚି ରହିଥିବା ନକ୍ସଲଙ୍କୁ ଦମନ ପାଇଁ ଏହି ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏହି ଅପରେସନରେ ୧୦ ହଜାରରୁ ଅଧିକ ଯବାନ ସାମିଲ ଅଛନ୍ତି । ତେବେ ଏହି କ୍ରମରେ ଛତିଶଗଡ଼ ନାରାୟଣପୁର ଅବୁଝାମାଡ଼ ଜଙ୍ଗଲରେ କିଛି ନକ୍ସଲ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ସୁରକ୍ଷାବାହିନୀ ଅପରେସନକୁ ଜୋରଦାର୍ କରିଥିଲା।
ଅନ୍ୟପଟେ,ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲାର ଲାହେରୀ ଥାନା ବିଣାଗୁଣ୍ଡା ଜଙ୍ଗଲରୁ ୫ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷା କର୍ମୀ । ଗିରଫଙ୍କ ମଧ୍ୟରେ ଜଣେ DVCM , ଜଣେ ACM ଏବଂ ତିନି ଜଣ ପ୍ଲାଟୁନ ସଦସ୍ୟ ରହିଛନ୍ତି । ଗିରଫ ୫ ଜଣଙ୍କ ନାଁରେ ୩୬ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ ମହାରାଷ୍ଟ୍ର ସରକାର । ଗିରଫ ମାଓବାଦୀଙ୍କ ନିକଟରୁ ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଗୋଟିଏ ସ୍ୱୟଂ ଚାଳିତ SLR, ଦୁଇଟି 303 ବନ୍ଧୁକ, ତିନୋଟି ସିଙ୍ଗଲ୍ ସଟ୍ ରାଇଫଲ୍ ଏବଂ ଦୁଇଟି ଭର୍ମର ବନ୍ଧୁକ ଜବତ କରାଯାଇଛି ।