ନନ୍ଦନକାନନରେ ଆଉ ଗୋଟିଏ ଧଳା ବାଘଛୁଆ ମୃତ

ବାରଙ୍ଗ: ମାର୍ଚ୍ଚ୨୧: ନନ୍ଦନକାନନରେ ବାଘୁଣୀ ରୁପାର ଧଳା ଶାବକର ମୃତ୍ୟୁ ହୋଇଛି । ଶାବକଟି ୧୦ ଦିନର ହୋଇଥିଲା । ରବିବାର ଶାବକଟି ହଠାତ ଅସୁସ୍ଥ ହୋଇପଡିଥିଲା । ତାର ପେଟ ଫମ୍ପେଇବା ସହିତ ଠିକରେ ଖାଦ୍ୟ ହଜମ ହୋଇନଥିଲା । ଅପରାହ୍ଣରେ ଓୟୁଏଟିର ପ୍ରଫେସରଙ୍କ ପରାମର୍ଶ କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପଶୁ ଚିକିତ୍ସକ ତାର ଚିକିତ୍ସା ଆରମ୍ଭ କରିଥିଲେ । କିନ୍ତୁ ସନ୍ଧ୍ୟାରେ ତାର ମୃତ୍ୟୁ ହୋଇଛି । ଏହାପରେ ନନ୍ଦନକାନନରେ ମୋଟ ବାଘଙ୍କ ସଂଖ୍ୟା ୨୮କୁ ହ୍ରାସ ପାଇଛି । ଗତ ୧୧ ତାରିଖରେ ବାଘୁଣୀ ‘ରୁପା ତିନିଟି ଶାବକ ଜନ୍ମ ଦେଇଥିଲା । ସେଥିମଧ୍ୟରେ ଗୋଟିଏ ମାଈ ସାଧାରଣରଙ୍ଗର ଥିବାବେଳେ ଦୁଇଟି(ଅଣ୍ଡିରା,ମାଈ) ଧଳାରଙ୍ଗର ଥିଲେ । ବାଘୁଣୀଟି ଶାବକଙ୍କୁ ଜନ୍ମ ଦେବା ପରେ ଆଦରିନଥିଲା କି ସ୍ତନ୍ୟପାନ କରାଇନଥିଲା । ତେଣୁ କର୍ତ୍ତୃପକ୍ଷ ତିନି ଶାବକଙ୍କୁ ଆଣି ଶିଶୁ ଯତ୍ନ ଗୃହରେ ରଖି ଲାଳନପାଳନ କରୁଥିଲେ । ସେଥିରୁ ଆଜି ଗୋଟିଏ ଧଳା ଅଣ୍ଡିରା ଶାବକର ମୃତ୍ୟୁ ହୋଇଛି । ମା ଛୁଆମାନଙ୍କୁ ଜନ୍ମ ଦେବା ପରେ ସ୍ତନ୍ୟପାନ କରାଉନଥିବାରୁ ଏହି ଛୁଆଟିର ମୃତ୍ୟୁ ହେଲା ବୋଲି କର୍ତ୍ତୃକକ୍ଷ ଅନୁମାନ କରୁଛନ୍ତି ।

Comments are closed.