ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୮ ମୃତ,୩୦ ରୁ ଅଧିକ ଗୁରୁତର

ଯାଜପୁର/ଅନୁଗୁଳ/କେନ୍ଦୁଝର/: ଗତକାଲି ଯାଜପୁରର ଏନ୍ ଏଚ୍ -୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ରୁ ‘କାଳିଆନନା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ (ଓଡି୦୨-ବିଜେ-୮୫୯୯) ପ୍ରାୟ ୨୦ ଫୁଟ ତଳକୁ ଖସି ପଡିଥିଲା। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୬ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ଆଇସିୟୁରେ ଚାଲିଛି ଚିକିତ୍ସା। ପ୍ରାଥମିକ ଅବସ୍ଥାରେ ଆହତ ଯାତ୍ରୀମାନଙ୍କୁ ଧର୍ମଶାଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ନିଜେ ସିଡିଏମ ଓ ଗୋଟିଏ ଟିମ ସହ ଦୁର୍ଘଟଣାସ୍ଥଳକୁ ଆସିଥିଲେ।

ଖବର ପାଇ ତୁରନ୍ତ ପୋଲିସ୍ ଓ ଉଦ୍ଧାରକାରୀ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଏସପି ଓ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ। କୁହାଯାଉଛି ଯେ ଗାଡ଼ିର ବେଗ ଅଧିକ ଥିବାରୁ ଡ୍ରାଇଭର ଜଣଙ୍କ ଏହା ଉପରକୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଏହା ଓଭରବ୍ରିଜ୍‌ରୁ ସିଧା ତଳକୁ ଖସିପଡ଼ିଛି। ବସଟି ପୁରୀରୁ ଗତକାଲି ଦିନ ୪ଟାରୁ ବାହାରିଥିଲା। ଏହା ପଶ୍ଚିମବଙ୍ଗର ହଳଦିଆ ଯିବାର ଥିଲା। ଏଥିରେ ୫୦ରୁ ଅଧିକ ଯାତ୍ରୀଥିଲେ। କିନ୍ତୁ ଅଧା ବାଟରେ ଏପରି ଦୁର୍ଘଟଣା ଘଟିଛି।

ସେହିପରି ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ ଜରପଡା ନିକଟରେ ବସ-ଟ୍ରକ ମଧ୍ୟରେ ମୁହାଁ-ମୁହିଁ ଧକ୍କା ହୋଇଛି I ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି I
ସୂଚନାନୁସାରେ,ଡ଼ଲଫିନ ନାମକ ଏକ ଘରୋଇ ବସ ପଡୋଶୀ ଛତିଶଗଡ଼ ରାଇପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା I ଏହି ସମୟରେ ଜରପଡା ନିକଟରେ ଏକ ବାଲି ବୋଝେଇ ଟ୍ରକ ବସକୁ ସାମ୍ନା ପଟୁ ଧକ୍କା ଦେଇଥିଲା I ଘଟଣାସ୍ଥଳରେ ବସ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା I ମୃତକଙ୍କ ନାଁ ତାରାପ୍ରସାଦ ଦାସ I ଏଥିରେ ଅନ୍ୟ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ I ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ଅନୁଗୁଳ ଡାକ୍ତରଖାନାରେ ଭର୍ତି କରାଯାଇଛି I ଘଟଣାସ୍ଥଳରେ ଜରପଡା ପୋଲିସ ପହଁଚି ତଦନ୍ତ ଜାରି ରଖିଛି I

ଅନ୍ୟପଟେ ଗତକାଲି କେନ୍ଦୁଝରରେ ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିବା ସହିତ ଜଣେ ଗୁରୁତର ହୋଇଛନ୍ତି I ଟ୍ରକଟି ପ୍ରଥମେ ରାସ୍ତା ପାର୍ଶ୍ୱରେ ଥିବା ଜଣେ କିନ୍ନରଙ୍କୁ ଧକ୍କା ଦେଇ ଫେରାର ମାରୁଥିବା ସମୟରେ,ଏକ ପାନ ଦୋକାନରେ ଠିଆ ହୋଇଥିବା ୨ ବାଇକ ଆରୋହୀଙ୍କ ଉପରେ ଚଢି ଯାଇ ୫୦ ମିଟର ଦୁରକୁ ଘୋଷାରି ନେଇଥିଲା I ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ହିନ୍ଦୋଳ ଥାନା ଅଞ୍ଚଳର ତାପସ ନାଏକ ଓ ଅନ୍ୟ ଜଣେ ରରୁଆଁ ଥାନା ଅଞ୍ଚଳର ଲାଲମୋହନ ବେହେରା I ମଙ୍ଗଳବାର ବିଳମ୍ବିତ ରାତ୍ରିରେ କେନ୍ଦୁଝର ଟାଉନ ଥାନ ଧୂର୍ପଦା ନିକଟରେ ୨୦ ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ଜଣା ପଡିଛି I ଏଥିରେ ଗୁରୁତର ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ବାଇକଟି ସମ୍ପୁର୍ଣ୍ଣ ଜଳିଯାଇଛି। ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ସଦର ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।

Har Ghar Tiranga