ମୁମ୍ବାଇ : ସୁନା ସ୍ମଗଲିଂ କରି ବନ୍ଧା ହେଲେ ଅଭିନେତ୍ରୀ । ମଙ୍ଗଳବାର ରାତିରେ ବେଙ୍ଗାଲୁରୁ ଏୟାରପୋର୍ଟରେ ଧରାପଡ଼ିଛନ୍ତି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ରାନ୍ୟା ରାଓ । ଦୁବାଇରୁ ୧୪.୦୮ କେଜି ସୁନା ଆଣି ଭାରତ ଫେରୁଥିଲେ ରାନ୍ୟା ରାଓ । ଯାଞ୍ଚ ପରେ ତାଙ୍କ ଠାରୁ ସୁନା ଜବତ କରିବା ସହ ରାନ୍ୟାଙ୍କୁ ଗିରଫ କରିଛି ଡିଆରଆଇ । ରାନ୍ୟା ନିଜ ବେଲଟ୍ ଷ୍ଟ୍ରାପ୍ରେ ୧୪ କିଲୋ ସୁନାକୁ ଲୁଚାଇ ଦୁବାଇରୁ ଭାରତ ଆଣିଥିଲେ।
ସୂଚନା ଅନୁସାରେ, ରାନ୍ୟା ରାଓ ସୋମବାର ଦୁବାଇରୁ କେମ୍ପେଗୌଡ଼ା ଏୟାରପୋର୍ଟରେ ପହଞ୍ଚିଥିଲେ। ସେ ପିନ୍ଧିଥିବା ସ୍ୱତନ୍ତ୍ର ବେଲ୍ଟ ଷ୍ଟ୍ରାପ୍ରେ୧୪ କେଜି ଓଜନର ୧୪ଟି ସୁନା ବାରକୁ ବେଶ ଗୁପ୍ତ ଭାବେ ଖଞ୍ଜି ଆଣିଥିଲେ । ଏହା ସହ ତାଙ୍କ ପାଖରୁ ୮୦୦ ଗ୍ରାମ ଓଜନର ସୁନା ଅଳଙ୍କାର ମଧ୍ୟ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧୨.୧୨ କୋଟି ତାଙ୍କ ହେବ ବୋଲି ଅନୁମାନ କରାଯାଉଛି । ଗିରଫ ପରେ ମଙ୍ଗଳବାର ତାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି I
ତେବେ ଦୀର୍ଘ ଦିନ ରାନ୍ୟା ସୁନା ତସ୍କରୀରେ ସାମିଲ ଥିବା ଖବର ପାଇଥିଲେ ଡିଆରଆଇ ଅଧିକାରୀ । ଗତ ୧୫ ଦିନ ମଧ୍ୟରେ ସେ ୪ ଥର ଦୁବାଇ ଯାତ୍ରା କରିଥିଲେ । ଏପରିକି ଗତ ବର୍ଷକ ମଧ୍ୟରେ ୧୦ ଥର ମିଡିଲ୍ ଇଷ୍ଟ୍ ଦେଶକୁ ଗସ୍ତ କରିଥିଲେ ରାନ୍ୟା । ବାରମ୍ବାର ଦୁବାଇ ଓ ଆରବ ଦେଶକୁ ଯିବାକୁ ନେଇ ତଦନ୍ତକାରୀ ଏଜେନସିର ରାଡାରକୁ ଆସିଥିଲେ। ଏହାକୁ ନେଇ ତାଙ୍କ ଉପରେ ସନ୍ଦେହ ବଢିଥିଲା। ରାନ୍ୟାଙ୍କ ଉପରେ ନଜର ରଖିଥିଲେ ଡିଆରଆଇ ଟିମ୍ । ରାନ୍ୟା କର୍ଣ୍ଣାଟକ ଡିଜିପି ରାମଚନ୍ଦ୍ର ରାଓଙ୍କ ଝିଅ । ସେ ତାମିଲ ସହ କନ୍ନଡ଼ର ଏକାଧିକ ଫିଲ୍ମରେ କାମ କରିଛନ୍ତି। ସୁନା ସ୍ମଗଲିଂରେ ରାନ୍ୟାଙ୍କ ସହିତ ଆଉ କିଏ କିଏ ସାମିଲ ଅଛନ୍ତି ଏହାର ଖୋଳତାଡ କରୁଛି ପୋଲିସ ।