ତ୍ୱଚା ପାଇଁ ଉପକାରୀ ଘିକୁଆଁରୀ ରସ

ତ୍ୱଚାର ପ୍ରାକୃତିକ ଯତ୍ନ ନେବାରେ ଘିକୁଆଁରୀ ରସ ବେଶ ଲାଭଦାୟକ ହୋଇଥାଏ । କଳା ଦାଗ ଦୂର ସହିତ ତ୍ୱଚାକୁ ଉଜ୍ୱଳ ରଖେ । ତେବେ ଘିକୁଆଁରୀ ରସ ଓ ଗୋଲାପ ଜଳର ମିଶ୍ରଣ ତ୍ୱଚା ପାଇଁ ଆହୁରି ଉପକାରୀ । ବଜାରରେ ତାହା ମିଳୁଥିଲେ ହେଁ ଅଧିକ ଦିନ ପର୍ଯ୍ୟନ୍ତ ସଂରକ୍ଷଣ ଲାଗି ସେଥିରେ ରାସାୟନିକ ପଦାର୍ଥ ମିଶିଥାଏ । ହେଲେ ଘରେ ଏହି ମିଶ୍ରଣ ପ୍ରସ୍ତୁତ କରି ଲଗାଇଲେ ଅଧିକ ସୁଫଳ ମିଳିଥାଏ । ଗୋଟିଏ ଘିକୁଆଁରୀ ପତ୍ରକୁ କାଟିଆଣିନ୍ତୁ । ଭଲ ଭାବେ ଧୋଇବା ପରେ ପତ୍ରର ଗୋଟିଏ ପାଖ କାଟି ଉପର ଅଂଶକୁ ହାତରେ ଟାଣି କାଢିଦିଅନ୍ତୁ । ଏହା ଦ୍ୱାରା ରସ ସଂଗ୍ରହ ସହଜ ହୋଇଥାଏ । ଏହାପରେ ଚାମଚରେ ରସ କାଢି ଏକ ପାତ୍ରରେ ରଖନ୍ତୁ । ଯେପରି ଆଦୌ ସବୁଜ ଅଂଶ ବାହାରି ନଆସେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ସେଥିରେ ୧୦-୧୨ ବୁନ୍ଦା ଗୋଲାପ ଜଳ ପକାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ଏହାଦ୍ୱାରା ମିଶ୍ରଣ ସୁଗନ୍ଧିତ ହୋଇଥାଏ । ଅଧିକ ଲାଭ ପାଇଁ ଭିଟାମିନ-ଇ ତେଲ ମିଶାଇପାରିବେ । ଏହି ମିଶ୍ରଣ ଗୋଟିଏ ସଫା ବୋତଲରେ ରଖି ଦୁଇ ସପ୍ତାହ ତ୍ୱଚାରେ ଲଗାନ୍ତୁ । ଧୀରେ ଧୀରେ ତ୍ୱଚାର ଫରକ ଜାଣିପାରିବେ ।

Comments are closed.