ବର୍ଷା ଦିନରେ ଖାଆନ୍ତୁ ଗରମ ଗରମ ଆଳୁ ପନିର କବାବ

ବର୍ଷା ଦିନରେ କିଛି ଗରମ ଗରମ ଚଟ୍‌ପଟା ଖାଇବାକୁ ବହୁ ଲୋକଙ୍କୁ ଭଲ ଲାଗେ । ଏଣୁ ପ୍ରାୟେ ସମସ୍ତେ ପକୁଡ଼ୁ କରି ଖାଇଥାନ୍ତି । ହେଲେ ପକୁଡ଼ୁରୁ ଯଦି ବୋର୍‌ ହୋଇଯାଇଛନ୍ତି, ଆଉ କିଛି ନୂଆ ଖାଇବାକୁ ଚାହାନ୍ତି ତେବେ ଆଳୁ ପନିର କବାବ ନିଶ୍ଚିନ୍ତ ଟ୍ରାଏ କରନ୍ତୁ । ଏହା ସହଜରେ ତିଆରି ହେବା ସହିତ ଟେଷ୍ଟି ଲାଗିଥାଏ । ଆପଣ ଚାହିଁଲେ ଏହାକୁ ଗେଷ୍ଟଙ୍କ ଆଗରେ ମଧ୍ୟ ପରଷି ପାରିବେ । ତେବେ ଆସନ୍ତୁ ଜାଣିବା ଏହି ରେସିପି ବିଷୟରେ-
ସାମଗ୍ରୀ – ୨ଟି ସିଝା ଆଳୁ, ଏକ କପ୍‌ ପନିର, ୨ଟି କଞ୍ଚା ଲଙ୍କା (କଟା), ଏକ ଚାମଚ ଜିରା, ଅଳ୍ପ ଲଙ୍କା ଗୁଣ୍ଡ, ୨ଚାମଚ କର୍ଣ୍ଣଫ୍ଲୋର୍‌, ଏକ ଚାମଚ ଗରମ ମସଲା, ଅଳ୍ପ ପରିମାଣ ଧନିଆ ଗୁଣ୍ଡ, ଲୁଣ ସ୍ୱାଦ ଅନୁସାରେ ।
ପ୍ରଣାଳୀ- ପ୍ରଥମେ ଆଳୁ, ପନିର, ଜିରା, କଞ୍ଚାଲଙ୍କା, ଲଙ୍କା ଗୁଣ୍ଡ, କର୍ଣ୍ଣଫ୍ଲୋର, ଗରମ ମସଲା, ଧନିଆ ଗୁଣ୍ଡ ଓ ଲୁଣ ପକାଇ ଗୋଳାନ୍ତୁ । ଏହାକୁ ଚକଟି କବାବ୍‌ ଆକାର ଦିଅନ୍ତୁ । ମିଡିଅମ୍‌ ଆଞ୍ଚରେ ତେଲ ଗରମ କରି କବାବକୁ ଛାଣି ନିଅନ୍ତୁ । ଏହାକୁ ଚଟଣି ସହ ପରଷନ୍ତୁ । ସନ୍ଧ୍ୟାସମୟରେ ଏହା ପିଲାଙ୍କର ଖୁବ୍‌ ଭଲ ଜଳଖିଆ ହୋଇପାରିବ ।

Comments are closed.