ଶ୍ରଦ୍ଧା ହତ୍ୟାକାରୀକୁ ମିଳିବ କଠୋର ଦଣ୍ଡ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକରଙ୍କ ହତ୍ୟାକାରୀ ପ୍ରତି ଯେଭଳି ସବୁଠୁ କଠିନ ଶାସ୍ତି ବିଧାନ କରାଯାଏ, ସେ ବିଷୟରେ ଦିଲ୍ଲୀ ପୁଲିସ ଓ ବିଚାର ବ୍ୟବସ୍ଥା ନିଶ୍ଚୟ ଯନିବାନ ହେବେ ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି । ଆଜି ‘ଟାଇମ୍ସ ନାଓ ସମିଟ୍‌’ରେ ଅମିତ ଶାହ କହିଛନ୍ତି, ଶ୍ରଦ୍ଧା ୱାକରଙ୍କୁ ଯିଏ ମାରି ଥାଉ ନା କାହିଁକି, ସ୍ୱଳ୍ପ ସମୟ ମଧ୍ୟରେ ଦିଲ୍ଲୀ ପୁଲିସ, ବିଚାର ବ୍ୟବସ୍ଥା ତାକୁ କଠିନତମ ଶାସ୍ତି ଦିଆଯିବା ଉପରେ ସୁନିଶ୍ଚିତ ହେବେ । ମୁଁ ଘଟଣା ଉପରେ ଦୃଷ୍ଟି ରଖିଛି । ୨୦୨୦ରେ ଶ୍ରଦ୍ଧା ଲେଖିଥିବା ପତ୍ର ବିଷୟରେ ପୁଲିସର କୌଣସି ଭୂମିକା ନାହିଁ । ମହାରାଷ୍ଟ୍ର ସରକାରଙ୍କ ଅଧୀନରେ ଥିବା ପୁଲିସ ନିକଟକୁ ଶ୍ରଦ୍ଧା ଉକ୍ତ ପତ୍ର ପଠାଇଥିଲେ । ତାଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରିଦିଆଯିବାକୁ ଧମକ ଦିଆଯାଉଛି ବୋଲି ଉକ୍ତ ପତ୍ରରେ ସେ ଲେଖିଥିଲେ । ତା’ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା ।

ଗତକାଲି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ କହିଛନ୍ତି ଯେ, ଏ ଘଟଣା ଉପରେ ତଦନ୍ତ କରାଯିବ । ସେ ସମୟରେ ଆମ ସରକାର କ୍ଷମତାରେ ନ ଥିଲା । କି;ୁ, ଏଥିପାଇଁ ଯିଏ ଦାୟୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ, ଶ୍ରଦ୍ଧାଙ୍କ ‘ଲିଭ୍‌-ଇନ୍‌ ପାର୍ଟନର୍‌’ ଅଫ୍‌ତାବ୍‌ ଅମୀନ୍‌ ପୂନାୱାଲା ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କରିବା ପରେ ମେ ମାସରେ ଦିଲ୍ଲୀର ମେହରେଲି ଅରଣ୍ୟରେ ଫିଙ୍ଗିଥିବା ଅଭିଯୋଗ ହୋଇଛି । ସମ୍ପ୍ରତି ଅଫ୍‌ତାବ୍‌ ପୁଲିସ ହାଜତରେ ଅଛି ।

Comments are closed.