ଭୁବନେଶ୍ୱର : ରାଜ୍ୟକୁ ଆସୁଛି ଆଉ ଏକ ଲଘୁଚାପ I ଆସନ୍ତା ୧୮ ତାରିଖରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ ଏହା ୧୯ରେ ଲଘୁଚାପର ରୂପ ନେଇପାରେ । ଗତ ୧୧ ତରିଖରୁ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇଥିଲେ ବି ଦକ୍ଷିଣରୁ ଉତ୍ତରକୁ ବାୟୁ ପ୍ରବାହ ରହୁଥିବାରୁ ଆଜି ମଧ୍ୟ କିଛି ସ୍ଥାନରେ ବର୍ଷାର ପ୍ରଭାବ ରହିବ। ଆଜି ୧୧ଟି ଜିଲ୍ଲା ରେ ବର୍ଷା ସମ୍ଭାବନା ଥିବାରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ସମ୍ଭାବନା ଥିବା ଜିଲ୍ଲା ଗୁଡିକ ହେଲା – ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, କଟକ, ବୌଦ୍ଧ, କନ୍ଧମାଳ, ଗଞ୍ଜାମ ଏବଂ ନୟାଗଡ଼। ଆଜି ସକାଳ ସାଢ଼େ ୮ଟାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏ ଏହିସବୁ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ଜିଲ୍ଲାର କିଛି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।
ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା। ୧୬ ଓ ୧୭ ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ ୧୮ରୁ ପୁଣି ବର୍ଷା ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ୨୨ ତାରିଖ ଯାଏଁ ତମାମ ରାଜ୍ୟରେ ବର୍ଷା ର ପ୍ରଭାବ ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହି ଲଘୁଚାପ ଓଡ଼ିଶା ଉପକୂଳ ସଂଲଗ୍ନ ଅଞ୍ଚଳରେ ୩ ରୁ ୪ ଦିନ ରହିବ । ୧୮ ତାରିଖରୁ ଉପକୂଳରେ ପାଗ ବଦଳିବ । ୧୯,୨୦,୨୧ ଓ ୨୨ରେ ଭାରୀ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ସକ୍ରିୟ ମୌସୁମୀ ଓ ଆଗକୁ ଆସୁଥିବା ଲଘୁଚାପ ଯୋଗୁଁ ବର୍ଷା ଲାଗି ରହିବ ।
Comments are closed.