କଣାସ ଝାଡ଼ାବାନ୍ତିରେ ଆଉ ଜଣଙ୍କର ମୃତ୍ୟୁ

ପୁରୀ : କଣାସ ଝାଡ଼ାବାନ୍ତିରେ ମୃତ୍ୟୁ ସଂଖ୍ୟା ୫ କୁ ବୃଦ୍ଧି ପାଇଛି । ପୁରୀ ଜିଲ୍ଲା କଣାସରେ ଝାଡ଼ାବାନ୍ତିରେ ଆଉ ଜଣଙ୍କ ଜୀବନ ଯାଇଛି । ଜାଗୁଳାଇପଦର ନୂଆସାହିର ୭୦ ବର୍ଷିୟା ଜହ୍ନ ବେହେରାଙ୍କ ଝାଡାବାନ୍ତିରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେ ଗତ ବୁଧବାର ଦିନ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ କଣାସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ପୁରୀ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି ।

ପୂର୍ବରୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଥିଲେ ଯେ , କଣାସରେ ପ୍ରଥମେ ଏକ ଭୋଜିରୁ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା । ଗତ ୭ରୁ ୮ ଦିନ ହେଲା ବ୍ୟାପିଛି ଝାଡ଼ାବାନ୍ତି । ଝାଡ଼ାବାନ୍ତିରେ ମୋଟ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସିଥିଲା । ସେଥିରୁ ଜଣେ ଡାଇରିଆରେ ମରିଥିବା ସ୍ପଷ୍ଟ ହୋଇଛି । ଏହାସହ ଆଖପାଖ ୫ଟି ଗାଁକୁ ବ୍ୟାପିଛି ଝାଡ଼ାବାନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଗାଁ ଗୁଡ଼ିକର ୭୧ ଜଣ ସଂକ୍ରମିତ ହେଇ ଚିକିତ୍ସାଧୀନ ଅଛନ୍ତ ।

ଦୟା ନଦୀରୁ ଦୂଷିତ ଜଳ ବ୍ୟବହାର ଯୋଗୁଁ ଡାଇରିଆ ବ୍ୟାପିଥିବା ଜଣାପଡିଛି । ନମୁନା ପରୀକ୍ଷାରୁ ଇ-କୋଲି ବ୍ୟାକ୍ଟେରିଆ ଚିହ୍ନଟ ହୋଇଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ଅଛି । ସରକାରଙ୍କ ପକ୍ଷରୁ ବିଶୁଦ୍ଧ ଜଳ ଯୋଗାଇ ଦିଆଯାଉଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

Har Ghar Tiranga