ଆଜି ଠାରୁ ୭ ଦିନିଆ ରିମାଣ୍ଡରେ ଯିବେ ଅର୍ଚ୍ଚନା

ଭୁବନେଶ୍ୱର : ପୁଣି ଥରେ ରିମାଣ୍ଡରେ ଯିବେ ଅର୍ଚ୍ଚନା ନାଗ I ଇଡି ପକ୍ଷରୁ ତାଙ୍କୁ ୧୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା I ମାତ୍ର ୭ ଦିନ ପାଇଁ ଅନୁମତି ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ କୋର୍ଟ। ରିମାଣ୍ଡ ଅବଧି ସରିବା ପରେ ପୁଣି ୧୩ ତାରିଖରେ ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୋମବାର ଦିନ ଅର୍ଚ୍ଚନାଙ୍କୁ ଝାରପଡ଼ା ଜେଲ୍‌ରୁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ହାଜର ପାଇଁ ଅଣାଯାଇଥିଲା, କୋର୍ଟରେ ହଜାର କଲାବେଳେ,ସେ ଚିତ୍କାର କରି ଗଣମାଧ୍ୟମକୁ ଦେଇଥିଲେ ବିସ୍ଫୋରକ ବୟାନ। ସେ କହିଥିଲେ ‘କୁଆଡେ ଗଲେ ସୋ-କଲ୍‌ଡ୍ ଭିିକ୍ଟିମ୍‌ ? ଶ୍ରଦ୍ଧାଞ୍ଜଳି କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଥିଲେ I ମୋତେ ଆର୍ବିଟାରିଲି ଆରେଷ୍ଟ କରାଗଲା ଓ ମୋ ପରିବାରକୁ ନଜରବନ୍ଦୀ ରଖାଗଲା ।’

ଅକ୍ଷୟ ପରିଜାଙ୍କ ଠାରୁ କେତେ ଟଙ୍କା ନେଇଛନ୍ତି ପ୍ରଶ୍ନରେ ଉତ୍ତରରେ ଅର୍ଚ୍ଚନା କହିଛନ୍ତି ଯେ, ‘ଅକ୍ଷୟ ପରିଜାଙ୍କଠାରୁ କିଛି ନେଇନି । ପୁରା ମାମଲାର ସିବିଆଇ ତଦନ୍ତ ହେଉ । ମୋ ମୁହଁ ବନ୍ଦ କରି ମୋତେ କୋର୍ଟ ଫରୱାର୍ଡ କରାଯାଉଛି । ମୁଁ ଚାହୁଁଛି ସବୁ ଜିନିଷର ତଦନ୍ତ ହେଉ । କାରଣ ତଦନ୍ତ ହେଲେ ସତ ବାହାରିବ । ମୋତେ ଫସାଇଦିଆ ଯାଇଛି, ଏହା ପଛରେ କାହାର ହାତ ଅଛି ମୁଁ ଜାଣିନି’ I

ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ଇଡି ତଦନ୍ତକୁ ଜୋରଦାର କରିଛି । ତାଲିକା ଅନୁସାରେ ମାମଲାରେ ସଂପୃକ୍ତ ବଡ଼ ବଡ଼ିଆଙ୍କୁ ଜେରା କରାଯାଉଥିଲାବେଳେ ସୋମବାର ଖୋଦ ଅର୍ଚ୍ଚନାଙ୍କ ପାଳି ପଡ଼ିଛି । ଆର୍ଥିକ କାରବାରର ଖିଅ ଖୋଜୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ମାରାଥନ ଜେରା କରିବ । କାହା କାହାକୁ ବ୍ଲାକମେଲ କରିଛନ୍ତି । କାହାଠାରୁ କେତେ ଟଙ୍କା ହଡପ କରିଛନ୍ତି । ଏତେ କମ ସମୟ ମଧ୍ୟରେ ଏତେ ସମ୍ପତ୍ତିର ଅଧିକାରୀ କେମିତି ହେଲେ, ଏନେଇ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିବ ବୋଲି ଜଣାପଡ଼ିଛି ।
ତେବେ ଏହି ମାମଲାରେ ଇଡି ନୋଟିସ କରିଥିବା ୧୫ ଜଣଙ୍କ ମଧ୍ୟରୁ ଏବେ ସୁଦ୍ଧା ୯ ଜଣଙ୍କୁ ଜେରା କରାଯାଇଛି । ଏମାନଙ୍କ ତଥ୍ୟ ଓ ବୟାନକୁ ଆଧାର କରି ଇଡି, ଅର୍ଚ୍ଚନାଙ୍କୁ ଚକ୍ରବ୍ୟୁହରେ ପକାଇବାକୁ ଖସଡା ତିଆରି କରୁଛି ।

Comments are closed.