ଅଭିନେତା ସୋନୁ ସୁଦଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ

ମୁମ୍ଵାଇ : ବଲିଉଡ୍ ଅଭିନେତା ସୋନୁ ସୁଦ୍‌ଙ୍କ ବଢିଲା ଅଡୁଆ । ଗିରଫ ହୋଇପାରନ୍ତି ଅଭିନେତା। ସୋନୁଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ୍। ୧୦ ଲକ୍ଷ ଟଙ୍କାର ହେରଫେର୍ ମାମଲାରେ ସୋନୁ ସୁଦଙ୍କ ବିରୋଧରେ ପଞ୍ଜାବର ଏକ କୋର୍ଟ ଗିରଫ ପରୱାନା ଜାରି କରିଛନ୍ତି। ଲୁଧିଆନା ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ରମନପ୍ରୀତ କୌର ଏହି ପରୱାନା ଜାରି କରିଛନ୍ତି। ରାଜେଶ ଖନ୍ନା ନାମକ ଜଣେ ଓକିଲଙ୍କ ଦ୍ଵାରା ଦାୟର କରାଯାଇଥିବା ମାମଲାରେ କୋର୍ଟ ଗିରଫ ପରୱାନା ଜାରି କରି ଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ, ଲୁଧିଆନାର ଜଣେ ଓକିଲ ରାଜେଶ ଖାନ୍ନା ସୋନୁଙ୍କୁ ବିରୋଧରେ ଆଣିଛନ୍ତି ଠକେଇ ଅଭିଯୋଗ । ମୋହିତ ଶୁକ୍ଳା ନାମକ ଜଣେ ବ୍ୟକ୍ତି ‘ରିଜିକା’ କଏନ୍ ରେ ନିବେଶ କରିବାକୁ ପ୍ରଲୋଭିତ କରାଇ ୧୦ ଲକ୍ଷ ଟଙ୍କା ଠକି ନେଇଥିଲେ । ଏହି ମାମଲାରେ ସାକ୍ଷୀ ଦେବା ପାଇଁ ସୋନୁ ସୁଦଙ୍କୁ ବାରମ୍ବାର ସମନ ପଠାଯାଇଥିଲା। ହେଲେ ସୋନୁ ହାଜର ହୋଇନଥିଲେ। ଯାହାଫଳରେ ଲୁଧିଆନା କୋର୍ଟର ମାଜିଷ୍ଟ୍ରେଟ୍ ରମନପ୍ରୀତ କୌର, ସୋନୁଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି।

ମୁମ୍ଵାଇର ଅନ୍ଧେରୀର ଓସିୱାରା ଥାନାକୁ ଏହି ୱାରେଣ୍ଟ ପଠାଯାଇଛି। ଅଭିନେତାଙ୍କୁ ଗିରଫ କରି ତାଙ୍କୁ ଅଦାଲତରେ ହାଜର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଦେଶ ଅନୁଯାୟୀ ସେନୁ ସୁଦଙ୍କ ବାସଭବନ ସଂଖ୍ୟା ୬୦୫/୬୦୬ କୈସାବ୍ଲାଙ୍କା ଆପାର୍ଟମେଣ୍ଟ ଠିକଣାରେ ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଛି । ଯଦି ସେ ଅଦାଲତରେ ଉପସ୍ଥିତ ହେବାକୁ ବିଫଳ ହୁଅନ୍ତି ତେବେ ତାଙ୍କୁ ଗିରଫ କରିବା ସହ ଅଦାଲରେ ପ୍ରସ୍ତୁତ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃଆରୀ ୧୦ ତାରିଖରେ ହେବ। ତେବେ ଏପର୍ଯ୍ୟନ୍ତ ଅଭିନେତା କିମ୍ବା ତାଙ୍କ ଟିମ୍ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ।

Har Ghar Tiranga