ପୁଣି ଦିଲ୍ଲୀରେ ବଢିଲା ପ୍ରଦୁଷଣ ହାର

ନୂଆଦିଲ୍ଲୀ: ଜୁନ ୨: କିଛି ଦିନ ପୂର୍ବେ ଦିଲ୍ଲୀର ବାୟୁ ଗୁଣବତ୍ତାରେ ସାମାନ୍ୟ ସୁଧାର ଆସିଥିବାବେଳେ ଆଜି ଏହାର ସ୍ତର ପୁଣି ଖସି ଆସିଛି । ଏହାର ବାୟୁମାନ ସୂଚାଙ୍କ ଅତି ଖରାପ ସ୍ତରରେ ରହିଥିବା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସୂଚନା ଦେଇଛି । କିଛି କିଛି ସ୍ଥାନରେ ଏହା ଗୁରୁତର ସ୍ତରରେ ମଧ୍ୟ ରହିଛି । ଦିଲ୍ଲୀ ସମେତ ଭାରତର ଉତ୍ତର-ପଶ୍ଚିମ ଭାଗରେ ଏକ ଘୂର୍ଣ୍ଣିବଳୟ ଝଡ଼ ସୃଷ୍ଟି ହୋଇଥିବା ସାଟେଲାଇଟରୁ ଜଣାପଡ଼ିଛି । ବୁଧବାର ପୂର୍ବାହ୍ନରେ ପୂର୍ବ ଦିଲ୍ଲୀର ଆନନ୍ଦ ବିହାରର ବାୟୁମାନ ସୂଚାଙ୍କ ୪୪୪ ରହିଥିବାବେଳେ, ଉତ୍ତର ଦିଲ୍ଲୀର ଅଶୋକ ବିହାରର ୩୫୬, ପୁରୁଣା ଦିଲ୍ଲୀର ଚାନ୍ଦିନୀ ଚୌକର ୪୩୮, ପଶ୍ଚିମ ଦିଲ୍ଲୀର ଦ୍ୱାରିକା ସେକଫର୍‌-୮ର ୪୩୩, କେନ୍ଦ୍ରୀୟ ଦିଲ୍ଲୀର ମନ୍ଦିର ମାର୍ଗର ୩୩୬, ଦକ୍ଷିଣ ପଶ୍ଚିମ ଦିଲ୍ଲୀର ବିମାନବନ୍ଦରର ୩୫୪, ଲୋଧି ରୋଡର ୨୮୬ ଏବଂ ଦକ୍ଷିଣ ଦିଲ୍ଲୀର ସିରି ଫୋର୍ଟର ୩୨୮ରହିଛି । ସିପିସିବି ଅନୁଯାୟୀ ବାୟୁମାନ ସୂଚାଙ୍କ ୦ରୁ ୫୦ ମଧ୍ୟରେ ଭଲ, ୫୧ରୁ ୧୦୦ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟମ, ୨୦୧ରୁ ୩୦୦ ଖରାପ, ୩୦୧ରୁ ୪୦୦ ଅତି ଖରାପ ଏବଂ ୪୦୧ରୁ ୫୦୦କୁ ଗୁରୁତର ସ୍ତର ଭାବରେ ବିବେଚନା କରାଯାଏ ।

Comments are closed.