ପୁରୀ: ଅପ୍ରେଲ ୨୭: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହୋଇଛି ପୁଣି ମହାସ୍ନାନ । ଆଜି ମଙ୍ଗଳ ଆଳତୀ ପରେ ରତ୍ନ ସିଂହାସନ ଉପରେ ଥିବା ସିଂହାରୀ ସେବାୟତଙ୍କ ଗୋଡ଼ ଖୁଣ୍ଟିଆ ସେବାୟତଙ୍କ ଦେହରେ ବାଜି ଯିବାରୁ ଠାକୁରଙ୍କୁ ମହାସ୍ନାନ କରାଯାଇଛି । ଏଥିପାଇଁ ମହାପ୍ରଭୁଙ୍କ ନୀତିରେ ପ୍ରାୟ ୧ ଘଣ୍ଟା ବିଳମ୍ବ ହୋଇଛି। ସେପଟେ ଆଜି ମହାପ୍ରଭୁଙ୍କର ବନକଲାଗି ନିତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗ ଉଠିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ।ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ସେବା ନିତି ହୋଇଥିବାରୁ ଆଜି ଅପରାହ୍ନ ୪ ଟାରୁ ରାତି ୮ଟା ପର୍ଯ୍ୟନ୍ତ ଚାରିଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବନକଲାଗି ନିତି ପରେ ମହାସ୍ନାନ ହେବ । ଏହାପରେ ପୁଣି ଦର୍ଶନ ଆରମ୍ଭ ହେବ ।
Comments are closed.