ନୂଆଦିଲ୍ଲୀ: ଆଜି ଭାରତ ଗସ୍ତରେ ଆସିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା । ତେବେ ଭାରତ ଗସ୍ତ ପୂର୍ବରୁ ସେ ରୋହିଙ୍ଗ୍ୟା ମୁସଲମାନଙ୍କୁ ନେଇ ଏକ ବଡ ମନ୍ତବ୍ୟ ଦେଇଛନ୍ତି । ‘ରୋହିଙ୍ଗ୍ୟା ପ୍ରବାସୀ ଦେଶ ପାଇଁ ବଡ଼ ବୋଝ ପାଲଟିଛନ୍ତି । ଏହି ସମସ୍ୟାର ସମାଧାନ କେବଳ ଭାରତ ହିଁ କରିପାରିବ । ସେ ହିଁ ଏହି ସମସ୍ୟା ସମାଧାନର ବାଟ ଖୋଜି ବାହାର କରିପାରିବ । ଏଭଳି କିଛି କହିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ।
ବାଂଲାଦେଶରେ ଏକ ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ଅଛନ୍ତି । ତେଣୁ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଓ ପଡୋଶୀ ଦେଶ ଏନେଇ କିଛି ପଦକ୍ଷେପ ନେବା ଉଚିତ । ରୋହିଙ୍ଗ୍ୟା ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ବାଂଲାଦେଶ ସରକାର କ୍ରମାଗତ ଭାବେ ଆନ୍ତର୍ଜାତୀୟ ସମୁଦାୟ ସହିତ କଥାବାର୍ତ୍ତା କରୁଛନ୍ତି । ବାଂଲାଦେଶରେ ଲକ୍ଷ ଲକ୍ଷ ରୋହିଙ୍ଗ୍ୟାଙ୍କ ଉପସ୍ଥିତି ତାଙ୍କ ଶାସନ ପାଇଁ ଆହ୍ୱାନ ସୃଷ୍ଟି କରିଛି । ତେଣୁ ଭାରତ ସମେତ ଅନ୍ତର୍ଜାତୀୟ ସମୁଦାୟ ଏମାନ ବାବଦରେ କିଛି ପଦକ୍ଷେପ ଗ୍ରହଣ କରିବା ଜରୁରୀ । ଯାହା ଦ୍ୱାରା ସେମାନେ ନିଜ ଘରକୁ ଫେରିପାରିବେ ବୋଲି ଶେଖ୍ ହସିନା କହିଛନ୍ତି ।
ସେ ଆହୁରି କହିଛନ୍ତି, ମାନବିକତା ଭିତ୍ତିରେ ଆମେ ରୋହିଙ୍ଗ୍ୟାଙ୍କୁ ଆଶ୍ରୟ ଦେଇଥିଲୁ । ତାଙ୍କୁ ସବୁକିଛି ଯୋଗାଇଥିଲୁ । କୋଭିଡ ମହାମାରୀରେ ଆମେ ସମସ୍ତ ରୋହିଙ୍ଗ୍ୟାଙ୍କୁ ଟିକାକରଣ ମଧ୍ୟ କରାଇଥିଲୁ । କିନ୍ତ ସେମାନେ ଏଠାରେ ଏଭଳି କେତେ ଦିନ ରହିବେ । ସେମାନେ କ୍ୟାମ୍ପ ତିଆରି କରି ବାସ କରୁଛନ୍ତି । ଏଭଳି ପରିସ୍ଥିତିରେ ଯେତେ ଶୀଘ୍ର ସେମାନେ ନିଜ ଦେଶରେ ପହଞ୍ଚିବେ ସେତେ ଭଲ ବୋଲି କହିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ । ରୋହିଙ୍ଗ୍ୟ ପ୍ରସଙ୍ଗ ଉଠାଇବା ସହ ଶେଖ ହସିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି ।
ରୁଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ପୂର୍ବ ୟୁରୋପରେ ଫସିଥିବା ବାଂଲାଦେଶୀ ଛାତ୍ରଙ୍କୁ ଉଦ୍ଧାର କରିବାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପଦକ୍ଷେପକୁ ସେ ତାରିଫ କରିଛନ୍ତି । ସେ କହିଛନ୍ତି, ‘ଭାରତ ସରକାରଙ୍କ ସମର୍ଥନରେ ବାଂଲାଦେଶୀ ନାଗରିକଙ୍କୁ ଅନେକ ସାହାଯ୍ୟ ମିଳିଛି । ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ବାଂଲାଦେଶ ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଆମର ଅନେକ ସହଯୋଗ କରିଛନ୍ତି । ମୋଦିଙ୍କୁ ଧନ୍ୟବାଦ ଦେଇ ହସିନା କହିଛନ୍ତି ‘ମୁଁ ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ ତରଫରୁ ଧନ୍ୟବାଦ ଜ୍ଞାପନ କରିବାକୁ ଚାହୁଁଛି । ସେ ରୁଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ସମୟରେ ଆମର ଅନେକ ଛାତ୍ରକୁ ଭାରତୀୟ ଛାତ୍ରଙ୍କ ସହ ସେଠାରୁ ଉଦ୍ଧାର କରିବାରେ ସାହାଯ୍ୟ କରିଛନ୍ତି । ବିପଦ ସମୟରେ ସେ ପ୍ରକୃତ ବନ୍ଧୁତ୍ୱ ଦେଖାଇଛନ୍ତି । ଭାରତ ହେଉଛି ‘ଟେଷ୍ଟେଡ୍ ଫ୍ରେଣ୍ଡ’ ବୋଲି ହସିନା କହିଛନ୍ତି । ଏଥିସହ କରୋନା ସମୟରେ ଭାରତ ଦ୍ୱାରା ଆରମ୍ଭ କରାଯାଇଥିବା ଭ୍ୟାକ୍ସି ମୈତ୍ରୀ କାର୍ଯ୍ୟକ୍ରମକୁ ମଧ୍ୟ ତାରିଫ କରିଛନ୍ତି ହସିନା ।
Comments are closed.