ଭୁବନେଶ୍ୱର : ରାଜ୍ୟରୁ ହଟିବେ ବେଆଇନ୍ ବସବାସ କରୁଥିବା ବାଂଲାଦେଶୀ । ଯେଉଁମାନଙ୍କର ଭୋଟର ପରିଚୟ ପତ୍ର, ଆଧାର କାର୍ଡ, ରାସନ କାର୍ଡ ଅଛି,ସେମାନଙ୍କର କୌଣସି ସମସ୍ୟା ନାହିଁ । କିନ୍ତୁ ଯେଉଁମାନେ ସୀମା ପାର ହୋଇ ଆସୁଛନ୍ତି , ତାଙ୍କୁ ଚିହ୍ନଟ କରାଯାଇ ବିଦା କରାଯିବ ।
ରାଜ୍ୟ ଓ ଦେଶର ସୁରକ୍ଷାକୁ ନଜରରେ ରଖି ନୋଡାଲ୍ ଏଜେନ୍ସି ଭାବେ ଦାୟିତ୍ୱ ନେଇଛି ସ୍ପେଶାଲ୍ ଟାସ୍କ ଫୋର୍ସ । ଅବାଧରେ ପ୍ରବେଶ, ବିନା ଭିସାରେ ରହଣି ଓ ଜାଲ୍ ପ୍ରମାଣପତ୍ର ପ୍ରସ୍ତୁତ କରି ବେଆଇନ୍ କାର୍ଯ୍ୟକଳାପରେ ଲିପ୍ତଥିବା ବାଂଲାଦେଶୀଙ୍କ ଉପରେ ଏବେ କଡ଼ା ନଜର । ସେଥିପାଇଁ ସମସ୍ତ ଜିଲ୍ଲା ପୁଲିସର ସହ ଯୋଗାଯୋଗରେ ରହି ବେଆଇନ୍ ବାଂଲାଦେଶୀଙ୍କ ତାଲିକା ପ୍ରସ୍ତୁତି ଚାଲିଛି । ଏପରିକି ବାଂଲାଦେଶୀଙ୍କୁ ରାଜ୍ୟରୁ ତଡ଼ିବାକୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।
ସମାନ କଥା ଦୋହରାଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଜିଲ୍ଲା ପୁଲିସଠାରୁ ତଟ ସୁରକ୍ଷା ବାହିନୀ ଯାଏଁ ସଜାଗ ଅଛନ୍ତି । କୌଣସି ଅଣ ନାଗରିକ ଆଉ ବେଆଇନ୍ ଭାବେ ଓଡ଼ିଶାରେ ରହିପାରିବେ ନାହିଁ । ବାଂଲାଦେଶୀ ହଟାଇବା ପ୍ରକ୍ରିୟାକୁ ଜୋରଦାର କରାଯାଉଥିବା ସେ କହିଛନ୍ତି ।
ସେହିପରି ରାଜଧାନୀରେ ବେଆଇନ ଭାବରେ ରହୁଥିବା କିମ୍ବା ବେପାର କରୁଥିବା ବାଂଲାଦେଶୀଙ୍କୁ ଖୁବ ଶୀଘ୍ର ବିଦା କରାଯିବ । ସରକାର ନେଇଥିବା ନିଷ୍ପତ୍ତିକୁ ସହଯୋଗ କରିବ ଭୁବନେଶ୍ୱର ମହାନଗର ନିଗମ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ ।
ଅଣପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟାରେ ସହଯୋଗ କରିବ ବିଏମ୍ସି । ଖାତା ଖତିୟାନ ନଥିବା ବାଂଲାଦେଶୀଙ୍କୁ ସହରରୁ ବାହାର କରାଯିବ । ଦେଶର ସୁରକ୍ଷା ଆମର ପ୍ରାଥମିକତା । ଭୁବନେଶ୍ୱର ଶ୍ରୀୟା ଛକ ଓ ଆଜାଦ ନଗରରେ ରହୁଛନ୍ତି ବାଂଲାଦେଶ । ଦେଶର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ।