କଟକ : ଆସନ୍ତା ୯ରେ ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ । ଇଣ୍ଡିଆ ଇଂଲଣ୍ଡ ବାରବାଟୀ ଲଢେଇ ପାଇଁ ଓସିଏ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଦିନିକିଆ ଦିବାରାତ୍ର ମ୍ୟାଚ୍ ଲାଗି ୫ଟି ସ୍ଥାନରେ ହେବ ଗାଡ଼ି ପାର୍କିଂ ବ୍ୟବସ୍ଥା । ୫ଟି ପାର୍କିଂ ପ୍ଲେସରରେ ୨୫ ହଜାର ଗାଡ଼ି ରଖିବା ଲାଗି ବ୍ୟବସ୍ଥା କରାଯିବ ବୋଲି ଓସିଏ ପକ୍ଷରୁ କୁହା ଯାଇଛି ।
ଗାଡ଼ି ପାର୍କିଂ ସହ ବାରବାଟୀ ଷ୍ଟାଡିୟମ୍ ପରିସରରେ ଦର୍ଶକଙ୍କୁ ଖାଦ୍ୟ ପାନୀୟ ବିକ୍ରି ଉପରେ ଓସିଏ ଆଲୋଚନା କରିଛି । ଉପଯୁକ୍ତ ମୂଲ୍ୟରେ ଖାଦ୍ୟ ପାନୀୟ ବିକ୍ରି ସହ ଖାଦ୍ୟର ମାନ ଉପରେ ନଜର ରଖିବାକୁ ୫ ଜଣ ଅଧିକାରୀଙ୍କ ଦାୟିତ୍ଵ ଦିଆଯାଇଛି ।
ଟିକେଟ ନ ପାଇ ଷ୍ଟାଡିୟମ୍ରେ ମ୍ୟାଚ୍ ଦେଖିବାକୁ ବଞ୍ଚିତ ହୋଇଥିବା କ୍ରିକେଟ୍ ପ୍ରେମୀଙ୍କ ଲାଗି ୩ଟି ଫ୍ୟାନ୍ ପାର୍କର ବ୍ୟବସ୍ଥା କରାଯାଉଛି । ତଳ ଓ ଉପର ବାଲିଯାତ୍ରା ପଡ଼ିଆରେ କ୍ରୀଡ଼ାପ୍ରେମୀ ବଡ଼ ଏଲଇଡି ଜରିଆରେ ଭାରତ-ଇଂଲଣ୍ଡ ମ୍ୟ।ଚର ଭରପୂର ମଜ୍ଜା ନେଇ ପାରିବେ ।
ଆଜି କଟକ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ବି.ପରମେଶ୍ବନ୍ ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଆରଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆରଡିସିଙ୍କ ସହ ଓସିଏ ପଦାଧିକାରୀ, କଟକ ଜିଲ୍ଲାପାଳ, ଅତିରିକ୍ତ ପୋଲିସ କମିଶନର ଉପସ୍ଥିତ ଥିଲେ । ମ୍ୟାଚର ସୁପରିଚାଳନା ନେଇ ବ୍ୟାପକ ଭାବରେ ଆଲୋଚନା କରାଯାଇଛି । ଆସନ୍ତା ୭ ତାରିଖ ସୁଦ୍ଧା ସମସ୍ତ ପ୍ରସ୍ତୁତି ଶେଷ କରାଯିବ ବୋଲି ସୂଚନା ଦେଇଛନ୍ତି ଆର୍ ଡି ସି ।
ତଳ ବାଲିଯାତ୍ରା ପଡିଆ ବ୍ୟବହାର ନେଇ ଗ୍ରୀନ ଟ୍ରିବ୍ୟୁନାଲ୍ ବା ଜାତୀୟ ସବୁଜ ପ୍ରାଧିକରଣଙ୍କର କଟକଣା ରହିଥିବା ବେଳେ, ଜରୁରୀକାଳୀନ ପରିସ୍ଥିତିରେ ତଳ ବାଲିଯାତ୍ରା ପଡ଼ିଆରେ ମଧ୍ୟ ପାର୍କିଂ କରାଯିବ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଉପର ଓ ତଳ ବାଲିଯାତ୍ରା ପଡିଆ ଏବଂ ଅନ୍ୟ ତିନୋଟି ସ୍ଥାନରେ ହେବ ପାର୍କିଂ । ଅନ୍ୟ ସମସ୍ତ ସ୍ଥାନ ଭର୍ତ୍ତି ହୋଇଯିବା ପରେ ହିଁ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରାଯିବ । ଏଭଳି ପରିସ୍ଥିତି ନ ହେଲେ ତଳ ବାଲିଯାତ୍ରା ପଡ଼ିଆ ବ୍ୟବହାର କରାଯିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଅନ୍ୟପଟେ,ବାରବାଟୀ ଦିନିକିଆରେ ମହିଳାଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର କାଉଣ୍ଟର । ଦ୍ବିତୀୟ ଥର ପାଇଁ ଓସିଏ ମହିଳାଙ୍କ ପାଇଁ ଏହି ସ୍ବତନ୍ତ୍ର ବ୍ୟବସ୍ଥା କରିଛି । ଫେବ୍ରୁଆରୀ ୫ ତାରିଖ ଦିନ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହେବ । କ୍ରିକେଟ ପ୍ରେମୀ କିଭଳି ସୁବିଧାରେ ଟିକେଟ ପାଇବେ ସେଥିପାଇଁ ଷ୍ଟାଡିୟମରେ ଥିବା କାଉଣ୍ଟରରେ ୩ଟି ଧାଡିର ବ୍ୟବସ୍ଥା କରାଯାଇଛି । ମହିଳାଙ୍କ କାଉଣ୍ଟରରେ ବି ଏହି ବ୍ୟବସ୍ଥା କରାଯାଇଛି। ଜଣକୁ ଦିଆଯିବ ସର୍ବାଧିକ ୨ଟି ଟିକେଟ। ଅଫଲାଇନରେ ଏଥର ୧୧ ହଜାର ଟିକେଟ ବିକ୍ରି ହେବ। ଶାନ୍ତି ଶୃଙ୍ଖଳାର ସହ ଟିକେଟ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଥିବା ଓସିଏ ପକ୍ଷରୁ କୁହାଯାଇଛି।
Comments are closed.