ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ I ବଜାରରେ ଅଚାନକ ଭାବରେ ବଢିଚାଲିଛି ରୋଷେଇ ଘରର ଅତ୍ୟାବଶ୍ୟକୀୟ ଆଳୁ,ସାଙ୍ଗକୁ ଡାଲି ଓ ତେଲ ଦର I ମାତ୍ର ୧୫ ଦିନରେ ଆଳୁ ଦର ଦେଢ଼ଗୁଣା ହୋଇ କିଲୋ ୩୦ ଟଙ୍କା ହେଲାଣି । ଟା ସାଙ୍ଗକୁ ତାଳ ଦେଇ ହରଡ଼ ଡାଲି ୮ ଟଙ୍କା ଓ ପାମୋଲିନ୍ ତେଲ ୫ ଟଙ୍କା ବଢ଼ିଗଲାଣି । ଅମଳ ବେଳ ଠାରୁ ଆଳୁ ଦର ବେଶ ଉଚ୍ଚରେ ରହିଥିବାବେଳେ ମାତ୍ର ଗୋଟାଏ ଦିନରେ ଏକାଥରକେ ୧୦ ଟଙ୍କା ବଢିଛି I ବିଭିନ୍ନ ଖାଦ୍ୟ ସାମଗ୍ରୀର ଏମିତି ଉଚ୍ଚା ଦରକୁ ନେଇ ଖାଉଟି ହେଲେଣି କଲବଲ I
୧୫ ଦିନ ତଳେ ଆଳୁ କିଲୋ ପିଛା ୨୦ ଟଙ୍କାରେ ବିକ୍ରି ହେଉଥିଲା। ସପ୍ତାହକ ତଳେ ହଠାତ୍ କିଲୋ ୨୫ ହେଲା, ଆଉ ଏବେ କିଲୋ ୩୦ ଟଙ୍କା । ରୋଷେଇ ଘରର ଏ ମୁଖ୍ୟ ସାମଗ୍ରୀର ଏମିତି ଉଚ୍ଚା ଦର ଦେଖି ଖାଉଟି ଆବାକାବା । ହେଲେ, ନିହାତି ଆବଶ୍ୟକ ଥିବାରୁ କାନମୁଣ୍ଡ ଆଉଁସି ଚଢ଼ା ଦରରେ କିଣିବାକୁ ବାଧ୍ୟ ହେଉଛି । ଖୁଚୁରା ବେପାରୀ କହୁଛନ୍ତି, ଯେହେତୁ ପାଇକାରୀ ବଜାରରେ ଆଳୁ ଦର ନିଇତି ବଦଳୁଛି, ତେଣୁ ସେମାନେ ଦର ବଢ଼ାଇବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟରେ ହେଉଥିବା ଆଳୁ ଉତ୍ପାଦନ ଆବଶ୍ୟକତା ତୁଳନାରେ ସମୁଦ୍ରକୁ ଶଙ୍ଖେ। ଏଣୁ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରୁ ଆମଦାନୀ ଆଳୁ ହିଁ ମେଣ୍ଟାଏ ଆମ ଓଡ଼ିଶାର ଚାହିଦା। କଟକ ଛତ୍ରବଜାର ବ୍ୟବସାୟୀଙ୍କ ଅନୁସାରେ ପଶ୍ଚିମବଙ୍ଗରୁ ଏବେ କମ୍ ପରିମାଣର ଆଳୁ ଆସୁଥିବାରୁ ସୃଷ୍ଟି ହୋଇଛି ଦରବୃଦ୍ଧି ସ୍ଥିତି।
ଏପଟେ ପାଇକାରୀ ବ୍ୟବସାୟୀଙ୍କ କହିବା କଥା, ଓଡ଼ିଶାରେ ପର୍ଯ୍ୟାପ୍ତ ଆଳୁ ଉତ୍ପାଦନ ହେଉନି। ଆଳୁ ପାଇଁ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼େ। କିଛି ଦିନ ହେଲା ପଶ୍ଚିମବଙ୍ଗ ଶୀତଳଭଣ୍ଡାରେ ନୂଆ ଆଳୁ ଲୋଡିଂ ଚାଲିଥିଲା। ୟୁପି ଆଳୁ ଏଯାଏଁ ଓଡ଼ିଶା ପହଞ୍ଚିନି। ତେଣୁ ବଜାରରେ ଆଳୁ ଅଭାବ ଦେଖାଦେଇଛି ।
ବଜାରରେ ଅସ୍ୱାଭାବିକ ଭାବରେ ଆଳୁ ଦର ବୃଦ୍ଧିକୁ ନେଇ କଞ୍ଚା ପାରିବ ବ୍ୟବସାୟୀ ସଂଘର ସଭାପତି କବିରାଜ ସ୍ୱାଇଁ କହିଛନ୍ତି,ରବିବାର ସୁଦ୍ଧା ଆଳୁ କିଲୋ ୩୦ ଟଙ୍କାରେ ରହିଥିବାବେଳେ,ଏହାର ଦର ଆହୁରି ବଢିବ I ବାହାରୁ ଯେଉଁ ଆଳୁ ଆସୁଛି ତାହା ଅଧେ ନଷ୍ଟ ହେଇ ଯାଉଛି I ତେଣୁ ଭଲ ଆଳୁକୁ ଗଚ୍ଛିତ ରଖା ଯାଉଛି I ଯାହା ବଳକା ରହୁଛି ତାହା ବଜାରରେ ବିକ୍ରି ହେଉଛି I
ଖାଲି ଆଳୁ ନୁହେଁ, ଅନ୍ୟ ଖାଦ୍ୟ ସାମଗ୍ରୀ ଦର ବି ବଢ଼ିଗଲାଣି । ଗତ ୧୫ ଦିନ ଭିତରେ ଡାଲି କିଲୋ ପିଛା ୮ ଟଙ୍କା ଯାଏଁ ଓ ତେଲ ଲିଟର ୫ ଟଙ୍କା ମହଙ୍ଗା ହେଲାଣି । ସପ୍ତାହକ ତଳେ ୧୩୦ରୁ ୧୫୦ ଟଙ୍କାରେ ବିକ୍ରି ହେଉଥିବା ହରଡ଼ ଡାଲି ଏବେ କିଲୋପିଛା ୧୩୮ରୁ ୧୫୫ ଟଙ୍କାରେ ବିକ୍ରି ହେଉଛି । ବିରି ଡାଲି ଦାମ ୫ରୁ ୭ ଟଙ୍କା ବଢ଼ି ୧୨୦ରୁ ୧୩୨ ଟଙ୍କା ଯାଏଁ ରହିଛି ।
ସେହିପରି ପାମୋଲିନ ତେଲ ଦର ଲିଟର ପିଛା ୫ ଟଙ୍କା ବଢ଼ି ୧୦୦ ଟଙ୍କା ନିକଟତର ହୋଇଛି । ବ୍ୟବସାୟୀ ମହାସଂଘ କହିଛି, ଏବେଠୁ ଲୋକଙ୍କୁ ଚାଷ ପାଇଁ ପ୍ରୋତ୍ସାହିତ ନକରାଗଲେ, ଆଗାମୀ ଦିନରେ ଭାରତରେ ବି ଶ୍ରୀଲଙ୍କା, ପାକିସ୍ତାନ ଭଳି ଖାଦ୍ୟ ସଙ୍କଟ ଘନେଇବ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)