ମୋଦୀଙ୍କୁ ଭେଟିଲେ ମମତା

ଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ମମତା କେନ୍ଦ୍ର ସରକାରଙ୍କ ଉପରେ ପଶ୍ଚିମବଙ୍ଗର ବକେୟା ଥିବା ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ବାବଦ ଦେୟ ସମେତ ଏକାଧିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ତେବେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରାଯିବାର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମମତାଙ୍କର ଏହି ବୈଠକକୁ ନେଇ ରାଜନୀତିକ ତଥ୍ୟାଭିଜ୍ଞ ମହଲରେ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।

ପାର୍ଥଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ବିପୁଳ ପରିମାଣର ଗଦା ଗଦା ନଗଦ ଟଙ୍କା ମିଳିବା ପରେ ଗିରଫ ହୋଇଥିବା ମନ୍ତ୍ରୀ ପାର୍ଥ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଅତି ଘନିଷ୍ଠ ଓ ପରମ ବିଶ୍ୱାସୀ ବୋଲି ଜଣାଶୁଣା ଥିଲେ । ନୀତି ଆୟୋଗ ବୈଠକରେ ଯୋଗଦେବା ପାଇଁ ଶ୍ରୀମତୀ ବାନାର୍ଜୀ ସଂପ୍ରତି ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ।

ଆଜି ସନ୍ଧ୍ୟାରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀ ଗସ୍ତ କାଳରେ ଅଗଷ୍ଟ ୭ରେ ନୀତି ଆୟୋଗ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୭ରେ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ, ଯେଉଁଠାରେ କୃଷି, ସ୍ୱ୍ୱାସ୍ଥ୍ୟ ଏବଂ ଅର୍ଥନୀତି ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବ ।

Comments are closed.