ମୁମ୍ବାଇ: ସେପ୍ଟମ୍ବର ୨୧: ଦେଶରେ ଜଳବାୟୁ ସଂରକ୍ଷଣ ଉପରେ ଲଗାତର ବିଭିନ୍ନ ସାମାଜିକ ମଞ୍ଚରେ ନିଜର ମନ୍ତବ୍ୟ ରଖିଥାନ୍ତି ଅଭିନେତ୍ରୀ ଭୂମି ପେଡନେକର । ତେବେ ଏହି ପ୍ରସଙ୍ଗରେ ସେ ଏବେ ପାଦେ ଆଗକୁ ବଢ଼ିଛନ୍ତି । ଜଳବାୟୁ ପରିବର୍ତ୍ତନ ଏବଂ ସଂରକ୍ଷଣ ଉପରେ ନିଜର ମନ୍ତବ୍ୟ ରଖିବା ପାଇଁ କ୍ଲାଇମେଟ୍ ୱାରିଅର ଭୂମିଙ୍କୁ ନୁ୍ୟୟର୍କରୁ ନିମନ୍ତ୍ରଣ ଆସିଛି । ଚଳିତ ସପ୍ତାହରେ ନୁ୍ୟୟର୍କରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମ ‘କ୍ଲାଇମେଟ୍ ୱିକ୍-୨୦୨୧’ରେ ସେ ଯୋଗଦେବାକୁ ଯାଉଛନ୍ତି । ଏହି କାର୍ଯ୍ୟକ୍ରମରେ ଭୂମି ନିଜର ସାମାଜିକ କାର୍ଯ୍ୟ ଉପରେ ସୂଚନା ଦେବା ସହ ପରିବର୍ତ୍ତନଶୀଳ ପରିସ୍ଥିତିରେ ଜଳବାୟୁ ସୁରକ୍ଷା ପାଇଁ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସମଗ୍ର ଦୁନିଆକୁ ଅବଗତ କରାଇବେ । ଏହାସହ ଏହି ଦିଗରେ ଭାରତ କିପରି ଗତି କରୁଛି ସେନେଇ ମଧ୍ୟ ବିଶ୍ୱବାସୀଙ୍କ ପାଖରେ ନିଜର ବକ୍ତବ୍ୟ ରଖିବେ । କ୍ଲାଇମେଟ୍ ୱିକ୍ ସମଗ୍ର ଦୁନିଆରେ ଜଳବାୟୁ ସମ୍ବନ୍ଧିତ ଗତିବିଧିକୁ ପ୍ରଭାବିତ କରୁଥିବା ଏକ ମହତ୍ୱପୂର୍ଣ୍ଣ ଯୋଜନା । ଏହି କାର୍ଯ୍ୟକ୍ରମର ଚଳିତ ବର୍ଷର ଥିମ୍ ରହିଛି ଗେଟିଂ ଇଟ୍ ଡନ୍ ।
କ୍ଲାଇମେଟ୍ ୱିକ୍ ଅବସରରେ ଭୂମି ସେପେଫମ୍ବର ୨୩ ତାରିଖରେ ସମ୍ବୋଧିତ କରିବେ । ଜଣେ ପ୍ରତିଭାଶାଳୀ କଳାକାର ହେବା ସହ ଭୂମି ପରିବେଶପ୍ରେମୀ ଭାବରେ କାର୍ଯ୍ୟ କରିଆସୁଛନ୍ତି । ତାଙ୍କ ନିଜର ସାମାଜିକ ପ୍ଲାଟଫର୍ମ କ୍ଲାଇମେଟ୍ ୱାରିଅର ଏହି ପ୍ରସଙ୍ଗ ଉପରେ ଲଗାତାର କାମ କରିଆସୁଛି । ତ୍ରୟୋଦଶ ବର୍ଷରେ ପହଞ୍ଚିପାରିଥିବା ଏହି କ୍ଲାଇମେଟ୍ ୱିକ୍ କାର୍ଯ୍ୟକ୍ରମ ସଂଯୁକ୍ତ ରାଷ୍ଟ୍ର, ସିଓପି୨୬ ଏବଂ ସିଟି ଅଫ୍ ନୁ୍ୟୟର୍କ ଅଧୀନରେ ଆୟୋଜିତ ହୋଇଥାଏ । ଜଳବାୟୁ ପରିବର୍ତ୍ତନକୁ ନେଇ ସମଗ୍ର ବିଶ୍ୱରେ ହେବାକୁ ଥିବା ପ୍ରୟାସ ଏବଂ ପ୍ରଦର୍ଶନ ଉପରେ ଏହି କାର୍ଯ୍ୟକ୍ରମରେ ଆଲୋଚନା ଏବଂ ଚର୍ଚ୍ଚା ହୋଇଥାଏ । ଅଭିନେତ୍ରୀ ଭୂମି ପେଡନେକରଙ୍କ ଫିଲ୍ମ କ୍ୟାରିଅର ସମ୍ପର୍କରେ ଆଲୋଚନା କରିବାକୁ ଗଲେ ତାଙ୍କର ଆଗାମୀ ଫିଲ୍ମ ବଧାଇ ଦୋ ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ । ଏହାସହ ଅକ୍ଷୟ କୁମାରଙ୍କ ସହ ରକ୍ଷା ବନ୍ଧନ ଫିଲ୍ମରେ ମଧ୍ୟ ଭୂମି କାମ କରୁଛନ୍ତି ।
Comments are closed.